(ଜ୍ୟୋତିରଂଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ମେଡିକାଲ ଲେନ୍ ବସ୍ତିରେ ବସବାସ କରି ଆସୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଣ ଦାବୀ କରି ପୂର୍ବାହ୍ନ ବେଳେ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ । କଣିହାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ରମେଶ ଚନ୍ଦ୍ର ଜେନା ପାନୀୟ ଜଳ ସମସ୍ୟା ଦୂର କରାଯିବାର ପ୍ରତିଶୃତି ଦେବା ପରେ ଧାରଣାକାରୀ ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ଏନେଇ ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ, ମେଡିକାଲ୍ ଲେନ୍ରେ ପ୍ରାୟ ଏକଶହ ଲୋକ ବସବାସ କରୁଛନ୍ତି । ସାହି ମଧ୍ୟରେ ପାନୀୟଜଳର କୈାଣସି ସୁବିଧା ନାହିଁ । ଏଣୁ ସ୍ଥାନୀୟ ଟିକିରା ନଦୀର ଜଳ ବ୍ୟବହାର କରିଆସୁଥିଲେ । ନିକଟରେ ଏନଟିପିସି ଆସପଣ୍ଡ ଓ ଜେଆଟିପିଏଲ୍ କାରଖାନା ପାଉଁସ ପାଣି ମିଶ୍ରଣ ଯୋଗୁଁ ଏବେ ଏହି ନଦୀର ଜଳ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ତଥାପି ଏହି ପ୍ରଦୁର୍ଷିତ ଜଳକୁ ସେମାନେ ବ୍ୟବହାର କରୁଛନ୍ତି । ଏଣୁ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବସ୍ତିବାସୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
ବସ୍ତିବାସୀ ଧାରଣା ଦେଇଥିବାର ଖବର ପାଇ ଘଟଣାସ୍ଥଳକୁ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ପହଁଚି ସେମାନଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ରାଜ୍ୟରେ ନବୀନ ସରକାର ଲମ୍ବା ସମୟ ଧରି ଶାସନ ଗାଦିରେ ବସିଥିଲେ ମଧ୍ୟ ଲୋକଙ୍କୁ ପାନୀୟଜଳ ନମିଳିବା ଅତ୍ୟନ୍ତ ଦୂର୍ଭାଗ୍ୟଜନକ ବିଷୟ ବୋଲି କହିଥଲେ ।