ମୈଦାନରେ କରୁଥିଲେ ଛକ୍କାର ବର୍ଷା ଏବେ ସମ୍ଭାଳିବେ ଗୁରୁଦାୟିତ୍ୱ

ଆଇପିଏଲ୍ ମୈଦାନରେ ଛକ୍କାର ବର୍ଷା କରୁଥିବା ସେହି ବିସ୍ଫୋରକ ବ୍ୟାଟର୍, ଏବେ ସମ୍ଭାଳିବେ ମୁମ୍ବାଇ ଇଣ୍ଡିଆନ୍ସର ଗୁରୁଦାୟିତ୍ୱ! ଆଇପିଏଲ୍ ୨୦୨୭ ପାଇଁ କିରନ୍ ପୋଲାର୍ଡ଼ଙ୍କୁ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ମିଳିଥିବା ନେଇ ଚର୍ଚ୍ଚା। ମହେଲା ଜୟବର୍ଦ୍ଧନଙ୍କ ସ୍ଥାନରେ ଏହି ଭୂମିକା ତୁଲାଇବେ ପୋଲାର୍ଡ଼। ଦୀର୍ଘ ବର୍ଷ ଧରି ମୁମ୍ବାଇ ପାଇଁ ଖେଳିବା ସହ ବ୍ୟାଟିଂ କୋଚ୍ ଭାବେ ମଧ୍ୟ କାମ କରିଛନ୍ତି ସେ। ତେବେ ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଯାତ୍ରା କେମିତି ରହିଛି, ଆସନ୍ତୁ ଜାଣିବା।

ମମ୍ବାଇ ଇଣ୍ଡିଆନ୍ସ… ଆଇପିଏଲ୍ ଇତିହାସର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ୍। ପାଞ୍ଚ ଥରର ଚାମ୍ପିୟନ୍ ଏହି ଦଳର ସଫଳତା ପଛରେ ରହିଛି ଅନେକ ଅଭିଜ୍ଞ ଖେଳାଳି ଓ ପ୍ରଶିକ୍ଷକଙ୍କ ଅବଦାନ। ଆଉ ଏବେ ଦଳର କୋଚିଂ ଦାୟିତ୍ୱକୁ ନେଇ ଚର୍ଚ୍ଚାରେ କିରନ୍ ପୋଲାର୍ଡ଼। ୨୦୧୦ରେ ମୁମ୍ବାଇ ସହ ଯୋଡ଼ି ହୋଇଥିବା ପୋଲାର୍ଡ଼ ଦୀର୍ଘ ସମୟ ଧରି ନିଜ ବ୍ୟାଟିଂ ଓ ଅଲରାଉଣ୍ଡ ପ୍ରଦର୍ଶନରେ ଦଳକୁ ଅନେକ ସ୍ମରଣୀୟ ବିଜୟ ଦେଇଛନ୍ତି। ଖେଳାଳି ଭାବେ ଆଇପିଏଲ୍‌ରୁ ଅବସର ନେବା ପରେ ମଧ୍ୟ ମୁମ୍ବାଇ ସହ ତାଙ୍କ ସମ୍ପର୍କ ଅତୁଟ ରହିଛି। ବ୍ୟାଟିଂ କୋଚ୍ ଭାବେ ଦାୟିତ୍ୱ ତୁଲାଇବା ପରେ ଏବେ ମୁଖ୍ୟ କୋଚ୍ ଭାବେ ଦଳର ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

୨୦୦୮ରେ ଲାଲଚନ୍ଦ ରାଜପୁତଙ୍କଠାରୁ ଆରମ୍ଭ ହୋଇଥିଲା ମୁମ୍ବାଇର କୋଚିଂ ଯାତ୍ରା। ପରେ ସନ୍ ପୋଲକ୍, ରବିନ୍ ସିଂହ, ଜନ୍ ରାଇଟ୍ ଓ ରିକି ପଣ୍ଟିଂଙ୍କ ଭଳି ଅଭିଜ୍ଞ ବ୍ୟକ୍ତିତ୍ୱ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ମହେଲା ଜୟବର୍ଦ୍ଧନଙ୍କ ନେତୃତ୍ୱରେ ଦଳ ନିଜର କୋଚିଂ ଯାତ୍ରା ଜାରି ରଖିଥିଲା। ୨୦୨୩ ଓ ୨୦୨୪ରେ ମାର୍କ ବାଉଚର୍ ଏହି ଦାୟିତ୍ୱ ତୁଲାଇଥିଲେ। ପରେ ୨୦୨୫ ଓ ୨୦୨୬ରେ ପୁଣି ମହେଲା ଜୟବର୍ଦ୍ଧନଙ୍କ ହାତକୁ ଫେରିଥିଲା ଦଳର କୋଚିଂ ଦାୟିତ୍ୱ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଗାମୀ ରାସ୍ତା ଏତେ ସହଜ ହେବ ନାହିଁ। ଗତ କିଛି ସିଜନରେ ଦଳର ପ୍ରଦର୍ଶନ ଆଶାନୁରୂପ ରହିନାହିଁ। ଏଭଳି ସ୍ଥିତିରେ ଦଳକୁ ପୁଣି ଚାମ୍ପିୟନ୍ ଟ୍ରାକ୍‌କୁ ଫେରାଇବା, ଖେଳାଳିଙ୍କ ମନୋବଳ ବଢ଼ାଇବା ଏବଂ ଏକ ସନ୍ତୁଳିତ ଦଳ ଗଢ଼ିବା ପୋଲାର୍ଡ଼ଙ୍କ ପାଇଁ ହେବ ସବୁଠାରୁ ବଡ଼ ପରୀକ୍ଷା।