ତାମିଲନାଡୁରେ ସଡକ ଦୁର୍ଘଟଣା ଘଟି ଗଲା ୭ମହିଳାଙ୍କ ଜୀବନ

ବ୍ୟୁରୋ: ତାମିଲନାଡୁର ତିରୁପଥୁର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୭ଜଣ ମହିଳାଙ୍କ ମୁତ୍ୟୁ ଘଟିଥିବା ବେଳ ୧୩ଜଣ ଆହତ ହୋଇଛନ୍ତି । ମହିଳା ମାନେ କର୍ଣ୍ଣାଟକରୁ ଫେରୁଥିବା ବେଳେ ଘଟିଛି ଏଭଳି ଅଘଟଣ । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ପୀଡିତମାନେ ଦୁଇଟି ଭ୍ୟାନ ଜରିଆରେ ଘରକୁ ଫେରୁଥିଲେ । ତିରୁପଥୁର ଜିଲ୍ଲାର ଏକ ସ୍ଥାନରେ ହଠାତ୍ ସେମାନଙ୍କ ଗାଡି ର ଟାୟାର ଫାଟିଯାଇଥିଲା । ଫଳରେ ଯାତ୍ରୀ ଗାଡିରୁ ଓହ୍ଲାଇ ବସିଥିବା ବେଳେ ଡ୍ରାଇଭର ଗାଡିର ଚକା ମରାମତି କରୁଥିଲେ । ତେବେ ହଠାତ୍ ବେଙ୍ଗାଲୁର ପଟୁ ଆସୁଥିବା ଏକ ଲରି ଭ୍ୟାନକୁ ପଛପଟୁ ଧକ୍କା ଦେବା ସହିତ ବସିଥିବା ମହିଳାଙ୍କ ଉପରେ ମାଡିଯାଇଥିଲା । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତିରୁପଥୁର ଏବଂ ବାନିୟମବାଡି ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୃତକଙ୍କ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗଭୀର ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିଜନଙ୍କୁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶି ଆହତଙ୍କୁ ୫୦-୫୦ ହଜାର ଟଙ୍କା ଘୋଷଣା କରିଛନ୍ତି । ସେହିପରି ଷ୍ଟାଲିନ ମଧ୍ୟ ପୀଡିତଙ୍କ ପରିବାରଙ୍କୁ ୧-୧ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ଆହତଙ୍କୁ ୫୦-୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।