ପ୍ରୋଟୋକଲରେ ଗୁରୁତର ତୃଟି: ରାଜ୍ୟପାଳଙ୍କୁ ନ ନେଇ ଫେରିଆସିଲା ଏୟାର ଏସିଆ ବିମାନ

0

ରିପୋଟର୍ସ ଟୁଡେ ବ୍ୟୁରୋ:  ପ୍ରୋଟୋକଲ ରେ ଗୁରୁତର ତୃଟି ଯୋଗୁ ଏୟାର ଏସିଆର ଏକ ବିମାନ ଗୁରୁବାର ଦିନ କର୍ଣ୍ଣାଟକ ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କୁ ନଆଣି କେମ୍ପାଗୌଡା ବିମାନ ବନ୍ଦରରୁ ଉଡାଣ ଭରିଥିଲା । ଏୟାର ପୋର୍ଟରେ ବିମାନକୁ ଅପେକ୍ଷା କରିଥିବା ସମୟରେ ଏୟାର ଏସିଆର ଏହି ବିମାନଟି ରାଜ୍ୟପାଳଙ୍କୁ ନ ଆଣି ଫେରିଆସିଥିଲା । ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ ବିମାନବନ୍ଦର ଥାନାରେ ଅଭିଯୋଗ କରିଥିଲେ । ରାଜ୍ୟପାଳ ଗୁରୁବାର ଦିନ ହାଇଦ୍ରାବାଦ ଯିବା ପାଇଁ କେମ୍ପାଗୌଡା ବିମାନବନ୍ଦରରେ ଅପେକ୍ଷା କରିଥିବା ସମୟରେ ଏହି ଘଟଣାଟି ଘଟିଥିଲା ।

ପ୍ରାପ୍ତ ସୂଚନା ମୁତାବକ, ଏୟାର ଏସିଆର ବିମାନ କେମ୍ପାଗୌଡା ବିମାନବନ୍ଦରରେ ପହଂଚିବା ପରେ ରାଜ୍ୟପାଳଙ୍କ କର୍ମଚାରୀମାନେ ବିମାନ ଭିତରେ ରାଜ୍ୟପାଳଙ୍କ ଜିନିଷପତ୍ର ରଖିଦେଇଥିଲେ । ଏହାସହ ବିମାନବନ୍ଦର ଅଧିକାରୀଙ୍କୁ ସୂଚନା ଦେଇଥିଲେ କି ରାଜ୍ୟପାଳ କିଛି ସମୟ ବିଳମ୍ବରେ ପହଞ୍ଚିବେ । ହେଲେ ରାଜ୍ୟପାଳ ଭିଆଇପି ଲାଉଞ୍ଜରେ ପହଂଚିବା ବେଳକୁ ବିମାନଟି ଉଡାଣ ଭରିସାରିଥିଲା । ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀମାନେ ଏହାକୁ ପ୍ରୋଟୋକଲର ଉଲଂଘନ କହି ବିମାନବନ୍ଦର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ରାଜ୍ୟପାଳ ୯୦ ମିନିଟ୍ ବିଳମ୍ବରେ ପରବର୍ତ୍ତୀ ବିମାନରେ ହାଇଦ୍ରାବାଦ ଯାଇଥିଲେ ।

ଏହି ଘଟଣାକୁ ନେଇ ଏୟାରଏସିଆ ତରଫରୁ ଏକ ବୟାନ ଜାରି କରାଯାଇ ଦୁଃଖ ପ୍ରକାଶ କରାଯାଇଛି । ଏୟାର ଲାଇନ୍ସ ତରଫରୁ କୁହାଯାଇଛି କି, ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି କମ୍ପାନୀ ତରଫରୁ ପ୍ରତିଶୃତି ଦିଆଯାଇଛି ।