ବୈଜୟନ୍ତଙ୍କ ବୟାନ ପରେ ଚ୍ୟାନେଲ ଖୋଜା ଚାଲିଛି

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଋଥଯାତ୍ରା ସିଧା ପ୍ରସାରଣକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ବିଡିଂ ନିଷ୍ପତି ବାତିଲ କରାଯାଇ ସମସ୍ତ ଚ୍ୟାନେଲକୁ ସୁଯୋଗ ଦେବା ପରେ ଏବେ ବିଭିନ୍ନ ଆଲୋଚନା ହେଉଛି । ବିଡିଂ ନିଷ୍ପତି ଓ ବିଡିଂ ବାତିଲକୁ ନେଇ ନାନା ଆଲୋଚନା ହେଉଛି । ବିଡିଂ ନିଷ୍ପତି ପରେ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖା ଦେଇଥିଲା । ଭକ୍ତମାନେ କିପରି ସୁଦୂର ସ୍ଥାନରେ ଥାଇ ପୁରୀ ରଥଯାତ୍ରା ଦେଖିପାରିବେ ସେ ନେଇ ଚିନ୍ତାରେ ରହିଥିଲେ । କାରଣ, ଅନ୍ୟ ରାଜ୍ୟ ଓ ବିଦେଶରେ ଓଡିଆ ଚ୍ୟାନେଲ ଭିତରେ ଗୋଟିଏ ମାତ୍ର ଚ୍ୟାନେଲ ଲୋକଙ୍କ ଦ୍ୱାରା ଆଦୃତ ଓ ବ୍ୟବହୃତ ହେଉଛି, ତାହା ହେଉଛି ଓଟିଭି । ଏହି ଚ୍ୟାନେଲଟି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର ।
ବୈଜୟନ୍ତ ଦଳ ବିରୋଧୀ କାମ କରୁଥିବାରୁ ବିଜେଡିରୁ ତାଙ୍କୁ ବରଖାସ୍ତ କରାଯାଇଥିଲା । ଏହାପରେ ଶୁଣିବାକୁ ମିଳିଥିଲା, ତାଙ୍କ ଟିଭି ଚ୍ୟାନେଲକୁ ହଇରାଣ କରିବାକୁ ବିଭିନ୍ନ ସମୟରେ ଟିଭି ଚ୍ୟାନେଲ ଉପରେ କଟକଣା ଲଗାଯାଇଥିଲା । ଏପରିକି ୩ ମାସ ତଳେ ଟିଭି ଚ୍ୟାନେଲ ନାମରେ ବିଧାନସଭାର ଗରିମା ଉଲ୍ଲଙ୍ଘନ ନେଇ ଚ୍ୟନେଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶିକା ତଥା ବୈଜୟନ୍ତଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ବିଧାନସଭାରେ ଉପସ୍ଥିତ ହୋଇ କ୍ଷମାପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେତେବେଳେ ମଧ୍ୟ ଜାଗି ଗଣମାଧ୍ୟମ ନିକଟରେ ଅଭିଯୋଗ କରିଥିଲେ ତାଙ୍କ ଚ୍ୟାନେଲକୁ ଶାସକ ଦଳ ଜାଣିଶୁଣି ହଇରାଣ କରୁଛି ।
ଏବେ ଏହି ଚ୍ୟାନେଲକୁ ରଥଯାତ୍ରାରୁ ଦୂରେଇ ରଖିବାକୁ ବିଡିଂ ନିଷ୍ପତି ହେଲା । ଏହାପରେ ସାଧାରଣରେ ଚର୍ଚ୍ଚା ହେଲା ଓଟିଭିକୁ ପ୍ରସାରଣରୁ ବାଦ ଦେବା ପାଇଁ ଏପରି କରାଯାଇଛି । ବିଡିଂରେ ଯେଉଁ ୭ଟି ଚ୍ୟାନେଲ ଭାଗ ନେଇଥିଲେ ସବୁଠାରୁ ଉପରେ ବୋଲି ଲଗାଇଥିଲା ଓଟିଭି । ତେଣୁ ନିଷ୍ପତିକୁ ପ୍ରତ୍ୟାହାର କରି ସମସ୍ତ ଚ୍ୟାନେଲକୁ ସିଧାପ୍ରସାରଣ ସୁଯୋଗ ଦିଆ ଗଲା ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ମଧ୍ୟ ବୈଜୟନ୍ତ ସମାନ ପ୍ରକାର ମନ୍ତବ୍ୟ ଟୁଇଟ କରି ଦେଇଛନ୍ତି । ତାଙ୍କ ଅନୁଯାୟୀ, ସରକାରର ପ୍ରିୟ ଚ୍ୟାନେଲ ବିଡିଂରେ ପଛରେ ପଡି ଯିବାରୁ ନିଷ୍ପତି ପ୍ରତ୍ୟାହାର କରାଯାଇଛି । ବୈଜୟନ୍ତଙ୍କ ଏପରି କହିବା ପରେ ସରକାରର ଉକ୍ତ ପ୍ରିୟ ଚ୍ୟନେଲଟିକୁ ଲୋକେ ଖୋଜୁଛନ୍ତି ।