ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ଋଷ୍-ୟୁକ୍ରେନ୍ ବିବାଦ । ଏହି ୨ଟି ଦେଶ ମଧ୍ୟରେ ଦେଖାଯାଇଛି ଯୁଦ୍ଧର କଳାବାଦଲ । ଯାହା ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ିଲାଣି । ଏହାକୁ ଆଖି ଆଗରେ ରଖି ଭାରତ ସରକାର ଭାରତୀୟଙ୍କୁ ଫେରାଇ ଆଣିବାକୁ ୟୁକ୍ରେନରେ ପହଁଚିଛି ଏୟାର ଇଣ୍ଡିଆ ବିମାନ । ଆଜି ସକାଳ ୭ଟା ୪୦ରେ କିଭ ଅଭିମୁଖେ ଯାତ୍ରା କରିଥିଲା ଏୟାର ଇଣ୍ଡିଆ ବିମାନ । ପ୍ରଥମ ବିମାନ ୨ଶହ ଯାତ୍ରୀଙ୍କୁ ଆଣି ଆଜି ରାତିରେ ଦିଲ୍ଲୀରେ ପହଁଚିବ । ତେବେ ,ଆହୁରି ଅଧିକ ବିମାନ ପଠାଇବା ପାଇଁ ସରକାରଙ୍କ ରହିଛି ଯୋଜନା । ଦୁଇଟି ଦେଶ ମଧ୍ୟରେ ବଢ଼ୁଥିବା ଏହି ବିବାଦକୁ ନେଇ ପଶ୍ଚିମାଦେଶରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି । ତେବେ ଏହି ଯୁଦ୍ଧ ଯଦି ଆରମ୍ଭ ହୋଇଗଲା ଏହାର ବଡ଼ ପ୍ରଭାବ ପୁରା ୟୁରୋପ ଉପରେ ହିଁ ପଡ଼ିବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ଏକ ବଡ଼ ଯୁଦ୍ଧ ହେବାକୁ ଯାଉଛି । ଏହି ଯୁଦ୍ଧ ଏତେ ଭୟଙ୍କର ପରିସ୍ଥିତ ଆଡ଼କୁ ମୁହାଁଇଲାଣି ଯେ ଯାହାକୁ ଦେଖି ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ନିଜ ଦେଶର ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ବି ଛାଡ଼ିବାକୁ କହିଦେଲେଣି । ହେଲେ ଏହା ମଧ୍ୟରେ ଏହା ବି ଜାଣିବା ଦରକାର ଋଷ-ୟୁକ୍ରେନ ମଧ୍ୟରେ କାହିଁକି ଏ ବିବାଦ? କଣ ରହିଛି ଏହାର ମୂଳ କାରଣ । ଏହି ଯୁଦ୍ଧର ସବୁଠୁ ବଡ଼ କାରଣ ହେଉଛି ୟୁକ୍ରେନ ନାଟୋରେ ସାମିଲ ହେବାର ଉଦ୍ଦେଶ୍ୟ । ଆଉ ଆମେରିକା ବି ଚାହୁଁଛି ଯେ ୟୁକ୍ରେନ ନାଟୋ ସହ ସାମିଲ ହେଉ । ହେଲେ ଏହାକୁ ଗ୍ରହଣ କରୁନି ଋଷ । ଋଷ ଆମେରିକାରୁ କେବଳ ଆଶ୍ୱସନା ନୁହେଁ ବରଂ ଲିଗାଲ ଗେରେନ୍ଟି ଚାହୁଁଛି ଯେ ୟୁକ୍ରେନ ଯେମିତି କେବେ ବି ନାଟୋ ସହ ସାମିଲ ନହେଉ । ତେବେ ଏହି ନାଟୋ କଣ ଚାଲନ୍ତୁ ଜାଣିବା ।
ନାଟୋ ହେଉଛି ନର୍ଥ ଆନ୍ଟାଲେନଟିକ ଟ୍ରିଟି ଅର୍ଗାନାଇଜେସନ । ବିଶ୍ୱର ସବୁଠୁ ବଡ ସୈନ୍ୟଙ୍କ ସଂଗଠନ । ଯେଉଁଠାରେ ସୈନ୍ୟମାନେ ସାମୂହିକ ସୁରକ୍ଷାର ଗଠବନ୍ଧନ ଭାବେ କାମ କରନ୍ତି । ଯଦି ସଙ୍ଗଠନ ଦେଶ ଉପରେ କୌଣସି ବାହାର ଦେଶ ଆକ୍ରମଣ କରିଥାଏ ତ ସେତେବେଳେ ସମସ୍ତ ସୈନ୍ୟ ଏକାଠି ହୋଇ ଆକ୍ରମଣ କରିଥାନ୍ତି । ତେବେ ଏସବୁ ଭିତରେ ଋଷ ପାଇଁ କଣ ରହିଛି ବଡ଼ ଚିନ୍ତା । ଦେଖିବାକୁ ଗଲେ ନାଟୋରେ ଆମେରିକା, କନ୍ନାଡ଼ା, ବ୍ରିଟେନ, ଫ୍ରାନ୍ସ ଭଳି ବିଭିନ୍ନ ଦେଶ ସହ ଋଷର ପଡ଼ୋଶୀ ଦେଶ ସହ ଏଷ୍ଟୋନିୟା ଏବଂ ଲାତଭିୟା ଯାହା ପୂର୍ବରୁ ସୋଭିତ ସଂଘର ହିସା ଥିଲା ତାହା ଏବେ ନାଟୋର ସଦସ୍ୟ । ତେଣୁ ଏବେ ଋଷକୁ ଏହି ଚିନ୍ତା ମାଡ଼ି ବସିଛି ଯଦି ୟୁକ୍ରେନ ନାଟୋର ସଦସ୍ୟ ହେଇଗଲା ତ ଋଷ ଶତ୍ରୁ ଦେଶ ପାଖରେ ଫସିଯିବ । ଯେଉଁଥିରେ ଆମେରିକା ଭଳି ଅନେକ ଦେଶ ଋଷ ଉପରେ ଅକ୍ତିଆର କରି ବସିବେ । ତେଣୁ ଯଦି ୟୁକ୍ରେନ ନାଟୋର ସଦସ୍ୟ ହେଇଯାଉଛି ଆଉ ଭବିଷ୍ୟତରେ ଋଷ ଉପରେ ଆକ୍ରମଣ କରେ ତାହାଲେ ନାଟୋ ସହ ୩୦ଟି ଦେଶ ଋଷ ଉପରେ ଅକ୍ତିଆର କରିବା ଆରମ୍ଭ କରିଦେବ । ଏଥିପାଇଁ ନାଟୋକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ନାଟୋର ସୈନ୍ୟଦଳ । ଏସବୁର ମୂଳ କାରଣ ହେଉଊଛି ଋଷ । କାରଣ ଋଷ ପାଇଁ ହୋଇଥିଲା ନାଟୋର ଜନ୍ମ । ୧୯୩୯ ମସିହାରୁ ନେଇ ୧୯୪୫ ପର୍ଯ୍ୟନ୍ତ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଇଟାଲୀ ଏବଂ ଜାପାନ ବିରୋଧରେ ଆମେରିକା, ଫ୍ରାନ୍ସ, ବ୍ରିଟେନ ମିଶିକି ଯୁଦ୍ଧ କରିଥିଲେ । ୧୯୪୫ରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇଥିଲା । ଯେଉଁଥିରେ ତ ୨ୟ ବିଶ୍ୱଯୁଦ୍ଧ ଶେଷ ହୋଇଗଲା । ହେଲେ ସୋଭିଏତ ସଂଘକୁ ଏହି କଥା ଆଦୌ ଭଲ ଲାଗିନଥିଲା । କାରଣ ଆମେରିକା ଜଣାଇ ନଥିଲା ଯେ ତା ପାଖରେ ଏତେ ମାତ୍ରାରେ ଘାତକ ମାରଣାସ୍ତ୍ର ରହିଛି । ବାସ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଆମେରିକା ଏବଂ ଋଷ ମଧ୍ୟରେ ଶୀତଳ ଯୁଦ୍ଧ । ଦୁଇଜଣ ଯାକ ପୁରା ବିଶ୍ୱକୁ ନିଜର କରିବା ପାଇଁ ଲୋଭ ଲାଗିଯାଇଥିଲା । ଆଉ ସେହି ସମୟରେ ହିଁ ଜନ୍ମ ନେଇଥିଲା ନାଟୋ । ଏହାକୁ ଆମେରିକାକୁ ମିଳିଥିଲା ୧୨ଟି ଦେଶରୁ ବିପୁଳ ସମର୍ଥନ । ଯାହା ଆଜି ୩୦ଟି ଦେଶ ସହ ଏକ ଦୃଢ଼ ସଂଗଠନ ଗଠନ କରିଛି ।
ଏସବୁ ପରେ ଗତକାଲି ମଧ୍ୟରାତିରେ ଋଷ-ୟୁକ୍ରେନ ବିବାଦକୁ ନେଇ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି। ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍ । ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ବାଇଡେନ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଦୁଇ ପ୍ରାନ୍ତକୁ ପୁଟିନ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ସହ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସବୁକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କିଙ୍କ ସହ କଥା ହୋଇଚନ୍ତି ଜୋ ବାଇଡେନ । ଜୋ ବାଇଡେନ କହିଛନ୍ତି ଯେ ୟୁକ୍ରେନ ସାର୍ବଭୌମତ୍ୱ ପାଇଁ ଆମେରିକା ପ୍ରତିଶୃତିବଦ୍ଧ । ୟୁକ୍ରେନର ଡିଏନ୍ଆର ଓ ଏଲଏନଆର ଅଂଚଳକୁ ଋଷିଆ ସ୍ୱାଧୀନ ଘୋଷଣାକୁ ନିନ୍ଦା କରୁଛୁ । ତେଣୁ ସହଯୋଗୀ ରାଷ୍ଟ୍ରଙ୍କ ସହ ମିଳିତ ଭାବେ କଠୋର ପଦକ୍ଷେପ ନେବୁ ବୋଲି ଏଭଳି କହିଛନ୍ତି ବାଇଡେନ । ସେପଟେ ପୁଟିନ୍ ସମ୍ବୋଧନ ସମୟରେ କହିଛନ୍ତି- ଆମେରିକା ଇସାରାରେ କାର୍ୟ୍ୟ କରୁଛି ୟୁକ୍ରେନ । ପଶ୍ଚିମ ଦେଶ ସହଯୋଗରେ ୟୁକ୍ରେନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଓ ସେନାକୁ ମଜଭୁତ କରାଯିବା ଋଷର ସାର୍ବଭୌମତ୍ବ ଓ ନିରାପତ୍ତା ଲାଗି ଏକ ବୃହତ ଚାଲେଞ୍ଜ ହେବ । ଇତିହାସରେ ୟୁକ୍ରେନ କେବେ ବି ଏକ ସ୍ବାଧୀନ ରାଷ୍ଟ୍ର ନଥିଲା । ୟୁକ୍ରେନ ଋଷର ପରିବାର ଭଳି । ଡୋନେତସ୍କ ଓ ଲୁହାନସ୍କର ହଜାର ହଜାର ଲୋକଙ୍କୁ ଏବେ ଋଷ ନିଜ ମାଟିରେ ଆଶ୍ରୟ ଦେବାରେ ଲାଗିଛି । ତେବେ ପୁଟିନଙ୍କ ଏଭଳି ନିଷ୍ପତ୍ତି ଅର୍ନ୍ତରାଷ୍ଟ୍ରୀୟ ଆଇନକୁ ଉଲ୍ଲଂଘନ କରିଛି ବୋଲି ଆମେରିକା କହିଛି । ସେପଟେ ଋଷକୁ ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ବ୍ରିଟେନ ଓ କାନାଡ଼ା ।
ଅନ୍ୟପଟେ ଋଷର ଆକ୍ରମଣ ନିର୍ଦ୍ଦେଶ ପରେ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦ ସହ ବୈଠକ କରିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଦୋମିର ଜେଲେନସ୍କି । ସେହିପରି ଋଷର ଦାବିକୁ ନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମିଳିତ ଜାତିସଂଘ । ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ରୁ ନ୍ୟୁୟର୍କଠାରେ ଏହି ବୈଠକ ଆରମ୍ଭ ହୋଇଛି । ୟୁରୋପରେ ସୃଷ୍ଟି ହୋଇଥିବା ଯୁଦ୍ଧ ସଙ୍କଟ ପୂରା ବିଶ୍ୱ ପାଇଁ ସଙ୍କଟ ସୃଷ୍ଟି କରୁଛି । ଉଭୟ ପକ୍ଷ କୂଟନୈତିକ ସ୍ତରରେ ଆଲୋଚନା କରି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛିନ୍ତି ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ।