ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକଙ୍କ ମୃତଦେହ

ବେଙ୍ଗାଲୁରୁ-: କର୍ଣ୍ଣାଟକର ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକ ଓମ ପ୍ରକାଶଙ୍କ (ଡିଜିପି) ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ସ୍ତିତ ତାଙ୍କ ବାସଭବନରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ଓମ ପ୍ରକାଶଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ସନ୍ଦେହ ଘେରରେ ଓମ ପ୍ରକାଶଙ୍କ ପତ୍ନୀ ଓ ଝିଅ ଥିବାରୁ ତାଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି ।

କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କୁ ରବିବାର ବେଙ୍ଗାଲୁରୁର ଏଚ୍ଏସ୍ଆର ଲେଆଉଟ୍‌ସ୍ଥିତ ତାଙ୍କ ବାସଭବନରେ ରହସ୍ୟମୟ ପରିସ୍ଥିତିରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଓମ ପ୍ରକାଶଙ୍କ ପେଟ ଏବଂ ବେକରେ ଅନେକ ଛୁରି କ୍ଷତ ଚିହ୍ନ ମିଳିଥିଲା । ପୋଲିସ ସୂତ୍ର ଅନୁଯାୟୀ, ତାଙ୍କ ପତ୍ନୀ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ ଡିଜିପିଙ୍କ ପୁଅ କାର୍ତ୍ତିକ ଅଭିଯୋଗ କରିଛନ୍ତି ଯେ ବାପାଙ୍କ ହତ୍ୟାକାଣ୍ଡରେ ତାଙ୍କ ମାଆ ପଲ୍ଲବୀ ଓ ଭଉଣୀ କ୍ରିତି ସାମିଲ୍‌ ଅଛନ୍ତି । ଓମ ପ୍ରକାଶ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ପୁଅକୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ, ଯାହା ତାଙ୍କ ସ୍ତ୍ରୀଙ୍କ ପାଇଁ ଅସହଜ ନିଷ୍ପତ୍ତି ଥିଲା । ସେଥିପାଇଁ ସେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଅ କହିଛନ୍ତି ।

ରବିବାର ଅପରାହ୍ନ ପ୍ରାୟ ୪.୩୦ରେ ପତ୍ନୀ ପଲ୍ଲବୀ ହତ୍ୟାର ସୂଚନା ଦେବା ପାଇଁ ପୋଲିସକୁ ଫୋନ୍ କରିଥିଲେ । କିନ୍ତୁ, ଯେତେବେଳେ ପୋଲିସ ଦଳ ସେମାନଙ୍କ ବାସଭବନରେ ପହଞ୍ଚିଲା, ସେ ଦ୍ୱାର ଖୋଲିବାକୁ ମନା କରିଦେଲେ, ଯାହା ଅଧିକ ସନ୍ଦେହ ସୃଷ୍ଟି କରିଥିଲା । ବହୁ କଷ୍ଟରେ ପୋଲିସ ଘରଭିତରକୁ ପଶି ମୃତଦେହକୁ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରି ହତ୍ୟାଘଟଣାର ମାମଲା ରଜୁକରି ତାଙ୍କ ପତ୍ନୀ ପଲ୍ଲବୀ ଏବଂ ଝିଅ କ୍ରିତିଙ୍କୁ ପଚାର ଉଚୁରା ଆରମ୍ଭ କରିଥିଲା । ପଲ୍ଲବୀ ହିଁ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରିଥିବା ସ୍ଵୀକାର କରିବା ସହିତ ହତ୍ୟା ପରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କରି ‘ମୁଁ ଗୋଟିଏ ରାକ୍ଷସକୁ ମାରିଦେଇଛି’ ବୋଲି କହିଥିଲେ। ସମସ୍ତ ସମ୍ପତ୍ତି ପୁଅକୁ ହସ୍ତାନ୍ତର କରିବା କଥାକୁ ନେଇ ପଲ୍ଲବୀ ଏବଂ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେବାରୁ ପଲ୍ଲବୀ ପ୍ରଥମେ ଓମ ପ୍ରକାଶଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ । ଏହା ପରେ ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଓମ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା ।

ପୋଲିସ ସୂଚନା ଅନୁସାରେ, ଓମପ୍ରକାଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା । ପଲ୍ଲବୀ ଏ ନେଇ ଏଚଏସଆର ଲେଆଉଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ନ ଶୁଣିବାରୁ ସେ ଥାନା ଆଗରେ ଧାରଣା ବି ଦେଇଥିଲେ । ପଲ୍ଲବୀ ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅଛନ୍ତି । ଏସବୁ କାରଣରୁ ପଲ୍ଲବୀ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।