ଭୁବନେଶ୍ୱର ରେଳ ଷ୍ଟେସନରେ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି
ଭୁବନେଶ୍ୱର-: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି । ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଓଡିଶା ବନ୍ଦ ଡାକରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବିଶେଷ କରି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଖ ଚକ ଜାମ କରିଛନ୍ତି କଂଗ୍ରେସ କର୍ମୀ । ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ୱୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।
ତେବେ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରୁଥିବା ୮ଟି ରାଜନୈତିକ ଦଳର ନେତା ଏବଂ କର୍ମୀଙ୍କୁ ପୋଲିସ ଟେକି ନେଇ ଅଟକ ରଖିଛି। କାରଣ ରାଜଧାନୀ ଭୁବନେଶ୍ଵରରେ ବାଇକ୍ ରାଲି କରି ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା କଂଗ୍ରେସ ଆନ୍ଦୋଳନକାରୀ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ତେବେ କଂଗ୍ରେସ କର୍ମୀଙ୍କ ଏପରି କାର୍ଯ୍ୟକଳାପକୁ ପୋଲିସ କମିଶନର ନିନ୍ଦା କରିବା ସହିତ କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ । କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ । ଯଦି ହିଂସାର ପନ୍ଥା ଆପଣାଇଲେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ।