ଭୁବନେଶ୍ୱର-: ଓଡ଼ିଶାର ରାଜନୈତିକ ମହଲରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡିକୁ ବଡ଼ ଝଟକା ଲାଗିଛି । କାରଣ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ଭଦ୍ରକ ଜିଲାରେ ବିଜେଡି ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ନିଜେ ଘୋଷଣା କରିଛନ୍ତି । ଇସ୍ତଫା ଦେବା ପରେ ପ୍ରୟାସକାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ସେ ବିଜେଡି ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି କିନ୍ତୁ ଦଳ ଛାଡିବା ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ତାଙ୍କ ବାପାଙ୍କୁ ଜଣାଇ ନାହାଁନ୍ତି । ସେ ଇସ୍ତଫା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କୌଣସି ଦଳ ସହିତ ଜଡିତ ନ ରହି ଲୋକଙ୍କ ସେବା ଜାରି ରଖିବେ ।
ତେବେ ପ୍ରୟାସକାନ୍ତିଙ୍କ ଇସ୍ତଫା ପଛରେ କ’ଣ କାରଣ ରହିଛି, ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା ଦଳ ଭିତରେ ଅସନ୍ତୋଷ କିମ୍ବା ନୂଆ ରାଜନୈତିକ ରଣନୀତିର ସଙ୍କେତ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।