ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୁରା ୬ ବର୍ଷ ପୁରିଛି । ଏହି ଯୋଜନା ହେଉଛି କେନ୍ଦ୍ର ସରକାର ଏକ ପ୍ରମୁଖ ଯୋଜନା । ଏହାର ଲକ୍ଷ୍ୟ ହେଉଛି ଲୋକଙ୍କର ଆର୍ଥିକ ସ୍ତିତିକୁ ସୁଦୃଢ଼ କରିବା ଏବଂ ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ସହ ଯୋଡିବା । ତେବେ ୨୦୧୪ ଅଗଷ୍ଟ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଶୁଭାରମ୍ଭ ହୋଇଥିଲା । ଦେଶର ସମସ୍ତ ନାଗରିକଙ୍କ ଆର୍ଥିକ ସ୍ତିତିକୁ ସୁଦୃଢ଼ କରିବା ପାଇଁ ସଭିଙ୍କୁ ବ୍ୟାଙ୍କିଂ ସୁବିଧାରେ ଅର୍ନ୍ତଭୁକ୍ତ କରିବା ଏହାର ଲକ୍ଷ୍ୟ ଥିଲା । ଏହି ଯୋଜନାରେ ୪୦କୋଟି ୩୫ଲକ୍ଷ ବ୍ୟାଙ୍କ ଜମାଖାତା ଖୋଲାଯାଇଥିଲା । ତେବେ ଏହା ଭିତରେ ୧ଲକ୍ଷ ୩୧ହଜାର କୋଟି ଟଙ୍କା ସେହି ଜମାଖାତାଗୁଡ଼ିକୁ ପଠାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ କହିଛନ୍ତି ଯେ ଦେଶର ଆର୍ଥିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ସହ ଦେଶରୁ ଦାରିଦ୍ର୍ୟ ଦୁର କରିବା ଦିଗରେ ଏହି ଯୋଜନା ଏକ ଉପଯୁକ୍ତ ଭିତ୍ତିଭୁମି ପ୍ରତିଷ୍ଠା କରିଛି । ଏହା ଦ୍ୱାରା ଦେଶର କୋଟି କୋଟି ଜନତା ଉପକୃତ ହୋଇଛନ୍ତି । ଏ ସଂକ୍ରାନ୍ତରେ ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ଯେଉଁ ମାନେ ବ୍ୟାଙ୍କିଂ ବ୍ୟବସ୍ଥାରେ ସାମିଲ ହୋଇନଥେôବ ସେମାନଙ୍କୁ ବ୍ୟାଙ୍କିଂ ସୁବିଧା ଦେବାର ଲକ୍ଷ୍ୟ ରଖି ୬ ବର୍ଷ ତଳେ ଏହି ଯୋଜନା କରାଯାଇଥିଲା । ଏଥିରେ ଅର୍ନ୍ତଭୁକ୍ତ ଅଧିକାଂଶ ହିତାଧିକାରୀ ଗ୍ରାମାଞ୍ଚଳର ହୋଇଥିବା ବେଳେ ମହିଳା ମାନଙ୍କ ହାର ଅଧିକ ରହିଛି । ତେବେ ନିର୍ମଳା ସୀତାରମଣ ମଧ୍ୟ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମୋଦୀ ସରକାରଙ୍କ ଏକ ଜନମଙ୍ଗଳକାରୀ ଅର୍ଥନୈତିକ ବ୍ୟବସ୍ଥାର ଏକ ଭଲ ଭିତ୍ତିଭୁମି ଭାବରେ ସାବ୍ୟସ୍ତ ହୋଇଛି ।