ନୂଆଦିଲ୍ଲୀ-: ମ୍ୟାଗି ଖାଇବାକୁ ଯିବାବେଳେ ପୋଲିସ ଗାଡ଼ିକୁ ଧକ୍କା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ବାଦୌଲି ବ୍ରିଜ୍ ନିକଟରେ ଏମିତି ଘଟଣା ଘଟିଛି ଯାହା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମ୍ୟାଗି ଖାଇବାକୁ ବାପାଙ୍କ ସ୍କର୍ପିଓ ନେଇ ଆସିଥିବା ୧୯ ବର୍ଷୀୟା ଯୁବତୀ ଯେଉଁ କାଣ୍ଡ କରିଛନ୍ତି ତାହା ସମସ୍ତଙ୍କୁ ତାଜୁବ କରି ଦେଇଛି । ତାଙ୍କ ମ୍ୟାଗି ଖାଇବା ନିଶା ପାଇଁ ଗୁରୁତର ହୋଇ ଜୀବନମରଣ ସହ ଲଢେଇ କରୁଛନ୍ତି ଦୁଇଜଣ ପୋଲିସ କର୍ମଚାରୀ ।
ସୂଚନା ଅନୁସାରେ ବିପିଟିପି ପୋଲିସ ଷ୍ଟେସନ ସେକ୍ଟର-୩୧ ବାସିନ୍ଦା କୃତିକା ମ୍ୟାଗି ଖାଇବା ପାଇଁ ବାପାଙ୍କ ସ୍କୋର୍ପିଓ କାର ନେଇ ଯାଉଥିଲେ । ଆଉ ସେତେବେଳେ କାରର ବେଗ ଘଣ୍ଟାପ୍ରତି ୧୭୦ କିଲୋମିଟର ଥିଲା । ଏତେ ବେଗରେ ଗାଡ଼ି ଚଳାଇବା ଫଳରେ ସେ ଗାଡ଼ିରୁ ନିଜର ନିୟନ୍ତ୍ରଣ ହରାଇ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ବାଦୌଲି ବ୍ରିଜ୍ ନିକଟରେ ଠିଆ ହୋଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲେ । ଫଳରେ ପୋଲିସ ଗାଡ଼ି ପଛରେ ଠିଆ ହୋଇଥିବା ଜଣେ ହୋମଗାର୍ଡ ବ୍ରିଜ୍ ଉପରୁ ୧୦ ଫୁଟ ତଳ ସର୍ଭିସ୍ ରୋଡକୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ । ସେହିପରି ଗାଡ଼ି ଭିତରେ ଥିବା ଜଣେ କନେଷ୍ଟବଳ ମଧ୍ୟ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଅଧିକାରୀମାନେ ଅବଗତ ହେବାପରେ ଗୁରୁତର ମାନଙ୍କୁ ଫରିଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ହେପାଜତକୁ ନିଆଯାଇ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ ବିପିଟିପି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ।