ବେଙ୍ଗାଲୁରୁ-: ବେଙ୍ଗାଲୁରୁରେ ଆରସିବି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ) ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସକାଳ ପ୍ରାୟ ସାଢ଼େ ୬ଟାରେ ନିଖିଲଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଥିଲା । ନିଖିଲଙ୍କ ବ୍ୟତୀତ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଡିଏନଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡର ସଦସ୍ୟ ସୁନୀଲ ମାଥ୍ୟୁ, କିରଣ ଏବଂ ସୁମନ୍ତଙ୍କୁ ମଧ୍ୟ ଅଟକ ରଖାଯାଇଛି । ନିଖିଲ ମୁମ୍ବଇ ପଳାଇଯିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ଖବର ପାଇ ବିମାନବନ୍ଦରରୁ ତାଙ୍କୁ ଗିରଫ କରିଛି । ଗୁରୁବାର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏହି ଦଳାଚକଟା ଘଟଣା ପାଇଁ ପୋଲିସକୁ ଦାୟୀ କରି କମିଶନରଙ୍କ ସମେତ ୬ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ଏହା ସହିତ ଆରସିବି ପ୍ରତିନିଧି, ଆୟୋଜକ ପରିଚାଳନାବୃନ୍ଦ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ ଅଧିକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ଜୁନ ୪ ତାରିଖରେ ଆରସିବି ଆଇପିଏଲ ଟ୍ରଫି ହାସଲ କରିବା ପରେ ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ବିଜୟ ପରେଡ ଆୟୋଜନ କରାଯାଇଥିଲା । ଏହାକୁ ଦେଖିବା ଲାଗି ଷ୍ଟାଡିୟମ ବାହାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ପୋଲିସ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।