ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ, ଜାଣନ୍ତୁ ନୂଆ ନାମ କ’ଣ ଏବଂ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO)ର ନାମ । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ । ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି ପରିବର୍ତ୍ତନ କେବଳ ଗୋଟିଏ ନୁହେଁ, ଦେଶର ଅନେକ ସରକାରୀ ଭବନ ଏବଂ ରାସ୍ତାର ନାମକୁ କିଛି ଦିନ ଭିତରେ ପରିବର୍ତ୍ତନ କରାଯିବ । ସେହିପରି କେନ୍ଦ୍ର ସଚିବାଳୟର ମଧ୍ୟ ନୂଆ ନାମ ହୋଇଛି । ଏବେ କେନ୍ଦ୍ରୀୟ ସଚିବାଳୟର ନାମ କର୍ତ୍ତବ୍ୟ ଭବନ ନାମରେ ଜଣାଶୁଣା ହେବ । ସରକାରଙ୍କ କହିବା ମୁତାବକ, ଏହି ପରିବର୍ତ୍ତନ କେବଳ ନାମ ଯାଏଁ ସୀମିତ ନାହିଁ, ବରଂ ସରକାର ଜନତାଙ୍କ ସେବା ପାଇଁ ଉତ୍ସର୍ଗୀକୃତ ବୋଲି ବାର୍ତ୍ତା ଦେଉଛି । ଏହି ପରିବର୍ତ୍ତନ ଶାସନକୁ ପ୍ରାଥମିକତାର ନୂଆ ବିଚାରକୁ ଦର୍ଶାଇଥାଏ । ସେହିପରି ସମଗ୍ର ଦେଶରେ ଥିବା ରାଜଭବନ ନାମ ପରିବର୍ତ୍ତନ କରାଯାଇ ଲୋକ ଭବନ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ବାସଭବନର ନାମ ପୂର୍ବରୁ ୨୦୧୬ ରେ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ରେସକୋର୍ସ ରୋଡ୍ କୁହାଯାଉଥିଲା, କିନ୍ତୁ ୨୦୧୬ ରେ ଏହାକୁ ଲୋକ କଲ୍ୟାଣ ମାର୍ଗରେ ପରିବର୍ତ୍ତନ କରାଯାଇଥିଲା। ଏହି ନାମ ଜନ କଲ୍ୟାଣର ଭାବନାକୁ ରେଖାଙ୍କିତ କରେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏହାର ୭୮ ବର୍ଷ ପୁରୁଣା ସାଉଥ୍ ବ୍ଲକ୍ ବାସଭବନରୁ “ସେବା ତୀର୍ଥ” ନାମକ ଏକ ନୂତନ ଉନ୍ନତ କ୍ୟାମ୍ପସକୁ ସ୍ଥାନାନ୍ତରିତ ହେଉଛି। ଏହି ପରିବର୍ତ୍ତନ ସେଣ୍ଟ୍ରାଲ୍ ଭିଷ୍ଟା ପୁନଃବିକାଶ ପ୍ରକଳ୍ପର ଏକ ପ୍ରମୁଖ ଅଂଶ।