ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିରବ: ରାହୁଲ

ରିପୋଟର୍ସ ଟୁଡେ ବ୍ୟୁରୋ:  ମଣିପୁର ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଗୁରୁବାର ରାହୁଲ ଗାନ୍ଧୀଙ୍କ କିଛି ଭିଡିଓ ଜାରି କରାଯାଇଥିବାବେଳେ ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଦେଶର ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି । ଏହା ଏଥିପାଇଁ ହେଉଛି ନରେନ୍ଦ୍ର ମୋଦୀ ହେଉଛନ୍ତି ଆରଏସଏସର କିଛି ଲୋକଙ୍କ ପ୍ରଧାନମନ୍ତ୍ରୀ । ତାଙ୍କର ମଣିପୁର ପ୍ରତି କୌଣସି ଆନ୍ତରିକତା ନାହିଁ ।

ଆଉ ଏକ ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, ବିଜେପି-ଆରଏସଏସ୍ କେବଳ ସତ୍ତା ଚାହାଁନ୍ତି । ସତ୍ତା ପାଇବା ପାଇଁ ସେ କିଛିବି କରିପାରନ୍ତି । ତେଣୁ ସତ୍ତା ହାସଲ କରିବାକୁ ସେ ମଣିପୁରକୁ ଜାଳିଦେବେ, ସାରା ଦେଶକୁ ଜାଳିଦେବେ । ଲୋକଙ୍କ ଦୁଃଖ, କଷ୍ଟ ସେମାନଙ୍କ ଉପରେ କିଛି ବି ଫରକ୍ ପକାଏନି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ସାଂସଦ ଟିମ୍ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ମଣିପୁର ଗସ୍ତରେ ଯିବ । ଅନ୍ୟପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ପାଇଁ ବିରୋଧୀ ଦଳ କେନ୍ଦ୍ର ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି । ବାଚସ୍ପତି ଓମ ବିର୍ଲା ମଧ୍ୟ ଏହାକୁ ସ୍ୱୀକାର କରିନେଇଛନ୍ତି । ମଣିପୁର ପ୍ରସଙ୍ଗରେ ସଂସଦରେ ଲଗାତାର ହଙ୍ଗାମା ଦେଖିବାକୁ ମିଳୁଛି ।