ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ । ‘ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଅଫ୍ ଘାନା’ରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପିଏମ୍ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ଘାନା ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା । ତେବେ ସମ୍ମାନ ଗ୍ରହଣ କରିବା ପରେ ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ୨ଦିନିଆ ଘାନା ଗସ୍ତରେ ଅଛନ୍ତି ମୋଦୀ । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତି ସ୍ବାକ୍ଷରିତ ହୋଇଥିବା ନେଇ ସୂଚନା ମିଳିଛି ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଟି ଦେଶ ଗସ୍ତରେ ଅଛନ୍ତି । ସର୍ବପ୍ରଥମେ ମୋଦୀ ଘାନାରେ ପହଞ୍ଚିଥିଲେ । ଦୀର୍ଘ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ରାଜଧାନୀ ଆକ୍ରାର ବିମାନବନ୍ଦରରେ ପହଞ୍ଚିବା ପରେ ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ସହିତ ୨୧ ତୋପର ସଲାମୀ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶ୍ୱ ଦକ୍ଷିଣ ଏବଂ ଆଟଲାଣ୍ଟିକର ଉଭୟ ପ୍ରାନ୍ତର ଦେଶଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗୀତାକୁ ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଦେଶ ଗସ୍ତ ସମୟରେ ଘାନା ବ୍ୟତୀତ ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ମଧ୍ୟ ଗସ୍ତ କରିବେ।