ପୀତବାସ ହତ୍ୟା: ବିକ୍ରମ ପଣ୍ଡାଙ୍କୁ ଅଟକ ନେଇ ବିଜେଡିର ପ୍ରତିବାଦ

ବ୍ରହ୍ମପୁର: ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ଗତକାଲି ରାତିରେ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ । ସେପଟେ କିନ୍ତୁ ବିକ୍ରମ ପଣ୍ଡାଙ୍କ ଅଟକ ନେଇ ପ୍ରତିବାଦ କରୁଛି ବିଜେଡି । ବିଜେଡି ପକ୍ଷରୁ ବ୍ରହ୍ମପୁର ଏସ୍‌ପି ଅଫିସ୍‌ ଘେରାଉ ଉଦ୍ୟମ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଳମ୍ବିତ ରାତିରୁ ବିକ୍ରମଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଆସି ଡାକି ନେଇଥିବା ସୂଚନା ମିଳିଛି । ବିଳମ୍ବିତ ରାତି ଯାଏଁ ତାଙ୍କୁ ଜେରା କରାଯାଇଛି । ଏହି ମାମଲାରେ ପୂର୍ବରୁ ଜଣେ କର୍ପୋରେଟର ଓ ବରିଷ୍ଠ ନେତାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଭେଦି ପାରିନି ପୋଲିସ । ରାଜନେତାଙ୍କଠାରୁ ଆରମ୍ଭ କରି ସେମାନଙ୍କ ସମର୍ଥକ, ଛାତ୍ରନେତା, କର୍ପୋରେଟର୍‌, ଅପରାଧୀଙ୍କୁ ଉଠାଇ ଆଣି ମାରାଥନ୍‌ ଜେରା ମଧ୍ୟ ହୋଇଛି । ୧୫ ଦିନର ଅନୁସନ୍ଧାନ ଓ ଜେରା ଭିତରେ ପୋଲିସ ତଦନ୍ତ ଅନ୍ତିମ ପର୍ଯ୍ୟାୟରେ । ଶେଷ ଲିଙ୍କ୍‌ରେ ତଦନ୍ତ । ଆଉ ମାତ୍ର ଦିନେ କି ଦୁଇ ଦିନର ସମୟ । ଏହା ଭିତରେ ମାମଲାର ପର୍ଦ୍ଦାଫାସ୍‌ ହେବ ବୋଲି କହିଛନ୍ତି ପୋଲିସ ଆଇଜି ନିତିଶେଖର ।