ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହାନ ବନ୍ଦ ହେବ ନାହିଁ: ଗଡକରୀ

(ରିପୋଟର୍ସ ଟୁଡେ, ନୁଆଦିଲ୍ଲୀ): ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନବାହନ ନିଷିଦ୍ଧ କରାଯିବାର ଯୋଜନା ନାହିଁ ବୋଲି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଗୁରୁବାର ଦିନ ଘୋଷଣା କରିଛନ୍ତି । ହାଇବ୍ରିଡ ମୋଟର ଯାନ ଉପରୁ ଜିଏସଟି ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚରରସ୍ଙ୍କ ବାର୍ଷିକ ସମ୍ମିଳନୀରେ ସମ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଶ୍ୱ ଅର୍ଥନୀତି, ଚାହିଦା ଓ ଯୋଗାଣ କାରଣରୁ ମୋଟର ଶିଳ୍ପରେ ବର୍ତ୍ତମାନ ମାନ୍ଦାବସ୍ଥା ଦେଖାଦେଇଛି । ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନବାହନ ବନ୍ଦ ହେଉ ବୋଲି ମନ୍ତ୍ରାଳୟକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା । କିନ୍ତୁ ମୁ ସ୍ପଷ୍ଟ କରିଦେଉଛି ଯେ, ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନବାହନ ବନ୍ଦ କରାଇବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ଆଗକୁ ସେମିତି କିଛି ହେବାର ନାହିଁ ।
ବିକ୍ରି ବଢାଇବା ନିମନ୍ତେ ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀରୁ ଗ୍ରାହକମାନଙ୍କୁ ଋଣ ଯୋଗାଇଦେବା ପ୍ରସଙ୍ଗରେ ବିଚାର କରିବାକୁ ଗଡକରି ମୋଟର ନିର୍ମାତାମାନଙ୍କୁ କହିଥିଲେ ।