ପୋଲିଓ ଖାଇ ଶିଶୁ ମୃତ

(ମନୋଲିସା ମିଶ୍ର): ପୋଲିଓ ଖାଇ ଜଣେ ଶିଶୁ ପ୍ରାଣ ହରାଇଥିବା ଘଟଣା ସମ୍ନାକୁ ଆସିଛି । ଏହି ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଓଡପଡା ବ୍ଲକର କମଳାଙ୍ଗ ପଞ୍ଚାୟତର ବରସାହିରେ । ଏନେଇ ବୁଧବାର କଣ୍ଟାବଣିଆ ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ପ୍ରଚାର ହେବା ପରେ ସଂପୃକ୍ତ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।

ସୂଚନାଅନୁଯାୟୀ, ଓଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅନନ୍ତ କୁମାର ରାଉଳ ଟିମ୍ ଙ୍କ ସହ ଗ୍ରାମରେ ପହଞ୍ଚିଥିଲେ । ପୋଲିଓ ହିଁ ଶିଶୁର ମୃତ୍ୟୁ କାରଣ ବୋଲି ଦାବି କରିବା ସହ ମୃତ ଶିଶୁର ପରିବାରକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବି କରିଥିଲେ ଗ୍ରାମବାସୀ । ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ଓଡପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଅଟକ ରଖିଥିଲେ । ଘଟଣାସ୍ଥଳକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ଆସନ୍ତୁ ବୋଲି ଦାବି କରିଥିଲେ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନଆସିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ କଣ୍ଟାବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରୀ ଟିମ୍କୁ ଉଦ୍ଧାର କରିବା ସହ ଶିଶୁର ମୃତଦେହ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି । ପୋଲିଓ ଦିଆଯାଇଥିବା ସାମ୍ପଲ ଜବତ କରିବା ସହ ତଦନ୍ତ ଚଳାଇଛି ପୋଲିସ ।