ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (PUCC)କୁ ନେଇ ଓଡ଼ିଶା ହାଇକୋର୍ଟ ଗାଡ଼ି ମାଲିକଙ୍କ ପାଇଁ ବଡ଼ ଆଶ୍ୱସ୍ତିଜନକ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗାଡ଼ିର PUCC ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦୨୫ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାରେ PUCC ନଥିଲେ ଗାଡ଼ି ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନ କରିବାକୁ କୁହାଯାଇଥିଲା। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।
ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଯୁକ୍ତି ରଖିଥିଲେ ଯେ, ଏହି ନିର୍ଦ୍ଦେଶ ମୋଟର ଯାନ ଆଇନ–୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ–୧୯୮୯କୁ ଉଲଂଘନ କରୁଛି ଏବଂ ଗାଡ଼ି ମାଲିକଙ୍କ ମୌଳିକ ଅଧିକାର ଉପରେ ଆଘାତ ଆଣୁଛି। ହାଇକୋର୍ଟ ମାମଲାର ଶୁଣାଣି କରି ‘ବାହନ’ ପୋର୍ଟାଲରେ ତୁରନ୍ତ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଜରିମାନା ବାକି ଥିଲେ ମଧ୍ୟ PUCC ସାର୍ଟିଫିକେଟ୍ ଜାରି କରିବାରେ କୌଣସି ବାଧା ହେବା ଉଚିତ୍ ନୁହେଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୋଟିଏ ସପ୍ତାହ ପରେ ହେବ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟର ଗାଡ଼ି ମାଲିକମାନେ ବଡ଼ ଧରଣର ରାହାତ ପାଇଛନ୍ତି।