କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମା’ ତାରିଣୀ ପୀଠର ବିକାଶ ପାଇଁ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମା’ ତାରିଣୀ ପରିକ୍ରମା ସମନ୍ବିତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ପାଇଁ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ଆଜି ସଫଳତାର ସହ ଆରମ୍ଭ ହୋଇଛି। ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ସମୁଦାୟ ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ଆଜି ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ତାଙ୍କ ଅଠରମାସ ତଳର ପରିକଳ୍ପନା ଆଜି ସାକାର ରୂପ ନେଇଥିବାରୁ ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ, ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ । ମା’ଙ୍କ ପୀଠର ଉନ୍ନତିକରଣ ପାଇଁ କୌଣସି ବାଧା ବାଧକ ସାଜିବ ନାହିଁ । ଅର୍ଥର ଅଭାବ ନାହିଁ କାରଣ, ଏହି ଉନ୍ନତିକରଣ କାର୍ଯ୍ୟ ମା’ଙ୍କ ଆଶୀର୍ବାଦରେ ହେଉଛି ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଘଟଗାଁ ହେବ ଓଡ଼ିଶାର ଏକ ପ୍ରମୁଖ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତି କେନ୍ଦ୍ର। ଯାତ୍ରୀ ସୁବିଧା, ରାସ୍ତା ଓ ଯୋଗାଯୋଗ, ପୁଷ୍କରିଣୀ ସମୂହର ବିକାଶ, ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀନିବାସ, ପ୍ରାଚୀର ସହ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା, ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ବଡ଼ ବିକାଶ ଯୋଜନା ଏଥିରେ ଅନ୍ତର୍ଭୁକ୍ତ । ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ୫୦୦ ଲୋକଙ୍କ ଏକସଙ୍ଗେ ପ୍ରସାଦସେବନ ବ୍ୟବସ୍ଥା, ନଡ଼ିଆ ଗୋଦାମ ସହିତ ମା’ ତାରିଣୀ ମନ୍ଦିର ସମ୍ବନ୍ଧିତ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହେବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ଏହି ବିକାଶ ଯୋଜନା ପ୍ରସ୍ତୁତ ହୋଇଛି। ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ୍ ଟାୱାର ନିର୍ମାଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।