ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଗୃହ ଚଲାଇ ଦେଲେନି ବିରୋଧି । ଗୃହ ଆରମ୍ଭ ହେବାର ମାତ୍ର ୪ ମିନଟ୍ ପରେ ହିଁ ଅପରାହ୍ଣ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢୀ । କୌଣସି ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା ଆରମ୍ଭ କରିଦେଉଛନ୍ତି। ବିଧାୟକମାନଙ୍କୁ ବାଚସ୍ପତି ଅନୁରୋଧ କଲେ ମଧ୍ୟ ସେମାନେ ମାନୁ ନାହାନ୍ତି। ଗୃହ ସ୍ବାଭାବିକ ନହେବା ଯାଏ ଆଲୋଚନା ହୋଇପାରିବ ନାହିଁ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଆସନ୍ତାକାଲି ୧୦ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି।
ପ୍ରଥମରୁ ଗୃହରେ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ପ୍ଲା’କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ । ସେପଟେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଦସ୍ୟମାନେ ବି ଜୋରଦାର ବିକ୍ଷୋଭ କରିଥିଲେ । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋସ ଅନାସ୍ଥା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବାରୁ ସ୍ୱାଧୀକାର ଭଙ୍ଗ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆସନ୍ତାକାଲି ଦିନ ୧୦ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।