ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ

ଆଜିର ଦିନରେ ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ପ୍ରକାଶ ପାଇଥିଲା ‘ଉତ୍କଳ ଦୀପିକା’

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ । ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଅର୍ଥାତ ଆଜିର ଦିନରେ ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା। ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା। କର୍ମବୀର ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ । କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ଖବରକାଗଜ ପ୍ରକାଶ ପାଉଥିଲା ।

ଉତ୍କଳ ଦୀପିକା ତତ୍କାଳୀନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେଉଥିଲା | ଏଥିସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ବର ଉତ୍ତୋଳନକରି ସାମାଜିକ ସଂସ୍କାର ପାଇଁ ଏହି ଖବର କାଗଜ ଉଦ୍ୟମ କରିଥିଲା । ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ସମସ୍ତ ବ୍ୟକ୍ତିଙ୍କ ଅବଦାନ ସର୍ବଦା ସ୍ମରଣୀୟ।