Bihar Election: ବିହାରରେ ପୁଣି ଏନଡିଏ ସରକାର । ପ୍ରଚଣ୍ଡ ବହୁମତ ସହ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି ବିଜେପି-ଜେଡିୟୁ ନେତୃତ୍ବାଧୀନ ଏନଡିଏ ମେଣ୍ଟ । ଜେଡିୟୁ ମୁଖ୍ୟ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହି ବିଜୟ ସହ ରାଜନୈତିକ କ୍ୟାରିଅରରେ ରେକର୍ଡ ପରେ ରେକର୍ଡ କରିବାକୁ ଯାଉଛନ୍ତି ସୁଶାସନ ବାବୁ ନୀତିଶ କୁମାର ।

ତେବେ ବିହାରରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ବିହାରରେ ମିଳିଥିବା ଭଲପାଇବା ପାଇଁ ଭୋଟରଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜର ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିହାରରେ ସୁଶାସନ ଜିତିଛି। ବିକାଶ ଜିତିଛି। ଜନ କଲ୍ୟାଣର ଭାବନା ଜିତିଛି। ସାମାଜିକ ନ୍ୟାୟ ଜିତିଛି। ମୁଁ ବିହାରରେ ଥିବା ମୋ ପରିବାରର ସଦସ୍ୟମାନଙ୍କୁ ଗଭୀର କୃତଜ୍ଞତା ଜଣାଉଛି, ଯେଉଁମାନେ ୨୦୨୫ବିଧାନସଭା ନିର୍ବାଚନରେ NDAକୁ ଐତିହାସିକ ଏବଂ ଅଭୂତପୂର୍ବ ବିଜୟ ସହିତ ଆଶୀର୍ବାଦ ଦେଇଛନ୍ତି। ଏହି ଜନାଦେଶ ଆମକୁ ଲୋକଙ୍କ ସେବା କରିବାକୁ ଏବଂ ବିହାର ପାଇଁ ନୂତନ ସଂକଳ୍ପ ସହିତ କାମ କରିବାକୁ ସଶକ୍ତ କରିବ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଏନଡିଏ କର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ, ସେମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା, ମେଣ୍ଟର ବିକାଶ ଏଜେଣ୍ଡା ଉପସ୍ଥାପନ କରିବା ଏବଂ ବିରୋଧୀଙ୍କ ଦ୍ୱାରା ପ୍ରସାରିତ ପ୍ରତ୍ୟେକ ମିଥ୍ୟାକୁ ପ୍ରତିହତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ଯାହାର ଫଳ ଆଜି ସେମାନଙ୍କୁ ମିଳିଛି।