ବନ୍ୟା ସ୍ଥିତିର ସମୀକ୍ଷା କଲେ ବିଧାୟକ

ଆତଙ୍କିତ ନହେବାକୁ ପରାମର୍ଶ

ପିପିଲି: ଲଘୁଚାପ ଜନିତ ବର୍ଷା କାରଣରୁ ସଂପ୍ରତି ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ପିପିଲିର ଦୟା ନଦୀରେ ଜଳସ୍ତର ବୃଦ୍ଧି ହୋଇଛି। ଫଳରେ ଭାରତୀପୁର ଓ କାଜୁରୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏକର ଏକର ଚାଷଜମି ଜଳମଗ୍ନ ହୋଇଯାଇଛି। ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତୀପୁର, ଜମ୍ବିଲା, କଣ୍ଟପୁର ସହିତ ହାଟ ସାହିର ମିର୍ଜାପୁର ଅଞ୍ଚଳର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଫଳରେ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି। ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଭାରତୀପୁର ଓ କଣ୍ଟି ଅଞ୍ଚଳ ପରିଦର୍ଶନ କରି ବନ୍ୟାର ସମୀକ୍ଷା କରିଛନ୍ତି। ତଳିଆ ଅଞ୍ଚଳର ଲୋକେ ଭୟଭୀତ ନହୋଇ ସୁରକ୍ଷିତ ସ୍ଥାନକୁ ଚାଲିିଯିବାକୁ ବିଧାୟକ ଶ୍ରୀ ମହାରଥୀ ପରାମର୍ଶ ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବାବେଳେ ଜଳ ସମ୍ପଦ ବିଭାଗ ସଜାଗ ରହିଥିବା ବିଧାୟକ ଶ୍ରୀ ମହାରଥୀ କହିଛନ୍ତି।