ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁନି ଔଷଧ, ରୋଗୀ ହନ୍ତସନ୍ତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ଗ୍ରାମାଞ୍ଚଳରୁ ଲୋକମାନେ ନିଜର ରୋଗ ଭଲ ହେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି ।  ମାତ୍ର କଛି ମାସ ହେଲା ରୋଗୀ ମାନଙ୍କୁ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ମିଳୁନଥିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯାହା ଫଳରେ ଲୋକମାନେ ଖୋଲା ବଜାରରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଚାଉଳିଆ ପଞ୍ଚାୟତର ବାସନ୍ତି ସାହୁ (୫୮ ବର୍ଷ) ।

ପେଟରେ ଯନ୍ତ୍ରଣା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଆଉଟ୍ ଡୋର୍ ଟିକେଟ କରିବା ପରେ ଡାକ୍ତରଙ୍କୁ ପେଟର ଯନ୍ତ୍ରଣା ଜଣାଇଥିଲେ। ଏହି ରୋଗର ଉପଶମ ପାଇଁ ଡାକ୍ତର ତିନୋଟି ଔଷଧ ଲେଖିଥିଲେ। ପରେ ଔଷଧ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଔଷଧ ଵିତରଣ କେନ୍ଦ୍ରକୁ ଯାଇଥିଲେ। ମାତ୍ର ସେଠାରେ ଗୋଟିଏ ଔଷଧ ମିଳିଥିଲା । ମିଳିନଥିବା ଅନ୍ୟ ଦୁଇଟି ଔଷଧକୁ ବାହାର ଦୋକାନରୁ କିଣିବାକୁ ପରାମର୍ଶ ଦେଇଥିଲେ। ଅର୍ଥାଭାବ ଯୋଗୁଁ ଔଷଧ କିଣିବା ପାଇଁ ଧାର୍ କରଜ କରିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଔଷଧର ଅଭାବ ରହିବା ଯୋଗୁଁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଢେଙ୍କାନାଳ ଜିଲ୍ଲାବାସୀ ଯେପରି ଆଗାମୀ ଦିନରେ ଏହି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।