ଭୁବନେଶ୍ୱର: ୨ ଦିନିଆ ଓଡିଶା ଗସ୍ତରେ ଆସି ପଶ୍ଚିମବଙ୍ଗ ଫେରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନ ନିବାସରେ ପହଞ୍ଚିବା ପରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ନବୀନ । ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଭେଟଘାଟ ଏବଂ ମିଳିତ ବିବୃତି ପରେ ପ୍ରତିକ୍ରୟା ରଖିଛନ୍ତି ମମତା । ଆଜି ନବୀନଙ୍କୁ ଭେଟିବା ପରେ ଖୁବ ପ୍ରସଂଶା କରିବା ସହ ନବୀନଙ୍କ ନିକଟରେ ମୁଁ କୃତଜ୍ଞ ବୋଲି କହିଛନ୍ତି ମମତା । ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ୟ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ।ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ରେ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ। ଓଡିଶାର ଆତିଥ୍ୟତା ପାଇଁ ମଧ୍ୟ ମମତା ଧନ୍ୟବାଦ ଜଣାଇଛନ୍ତି ଆଉ ନବୀନ କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ଓଡିଶା ପଶ୍ଚିମବଙ୍ଗ ଭିତରେ କେମିତି ସଂପର୍କ ଆଗକୁ ବଢ଼ିବ ସେ ସଂଙ୍କ୍ରାନ୍ତରେ ମମତା ବାନାର୍ଜୀ ଗୁରୁତ୍ୱ ଦେଇଥିଲେ । ଏହା ସହ ନବୀନଙ୍କୁ ପଶ୍ଚିମବଙ୍ଗକୁ ଯିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ମମତା । ଏଥି ସହ ଏଠାକାର ଅଫିସର ବହୁତ ଭଲ ଏବଂ ପଶ୍ଚିମବଙ୍ଗ ପର୍ୟ୍ୟଟକଙ୍କ ପାଇଁ ପୁରୀରେ ଗେଷ୍ଟ ହାଉସ ନିର୍ମାଣ ପାଇଁ ଜାଗା ଦେଇଥିବାରୁ ମୁଁ ନବୀନଙ୍କ ନିକଟରେ କୃତଜ୍ଞ କହିବା ସହ ଧନ୍ୟବାଦ ଜଣାଇଛନ୍ତି । ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ନେଇ ମମତା ସୂଚନା ଦେଇଛନ୍ତି । ତେବେ କିଛି ଗୁରୁତ୍ୱପୁର୍ଣ୍ଣ ରାଜନୈତିକ ଚଚ୍ଚା ହୋଇନି । ନିର୍ବାଚନକୁ ନେଇ କିଛି କହିନଥିବା ବେଳେ ଗଣମାଧ୍ୟମର ପ୍ରଶ୍ନକୁ ମମତା ଏଡେଇବା ସହ ନିର୍ବାଚନ ଆହୁରୀ ଗୋଟିଏ ବର୍ଷ ବାକି ଅଛି ତେଣୁ ଏବେଠୁ ସେ କୌଣସି ବିବୃତି ଦେବାକୁ ରୋକଠୋକ ମନା କରି ଦେଇଥିଲେ । ଅନ୍ୟପଟେ ଡେମୋକ୍ରାଟିକ ରାଇଟ୍ସର କଥା ମଧ୍ୟ ମମତା କହିଛନ୍ତି ।