ବ୍ୟୁରୋ: ଅଧର୍ମ ଉପରେ ଧର୍ମର ଜୟ ।ଅସତ୍ୟ ଉପରେ ସତ୍ୟର ବିଜୟ । ସୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଆଜି ବିଜୟା ଦଶମୀ । ଆଜି ହେଉଛି ଅଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ତେଣୁ ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜା । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରରୁ ପୁରପଲ୍ଲୀ । ମାଆଙ୍କ ଆଗମନରେ କମ୍ପୁଛି ଗଗନ ପବନ। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ପୂଜକଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ସନ୍ଧ୍ୟା ହେଲେ ଝଲସୁଛି ବିଭିନ୍ନ ପୂଜା ପେଣ୍ଡାଲ । ବଢୁଛି ଭକ୍ତଙ୍କ ଭିଡ଼ । କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ତ ଆଉ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ଆକର୍ଷଣୀୟ ତୋରଣ । କଟକ ସହରରେ ସୁନା ଚାନ୍ଦିରେ ଝଟକୁଛନ୍ତି ମା’ ଦଶଭୂଜା । ଶକ୍ତିମୟୀଙ୍କ ଆରାଧନାରେ ପରିବେଶ ଉଛୁଳି ପଡୁଛି । ଆଜି ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରାଯାଇଛି। ବିଶ୍ବାସ ରହିଛି ରାବଣପୋଡ଼ି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ରାବଣ ପୋଡ଼ି ପାଇଁ ଭୁବନେଶ୍ବରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ରାଜଧାନୀର ୬ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଦକଣ୍ଟା, ଛତାବର ଓ ତମାଣ୍ଡୋକୁ ମିଳିଚି ଅନୁମତି । ଏ ନେଇ ସୂଚନା ଦେଇଛନ୍ତି ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ।