ଭୁବନେଶ୍ବର: ଆସନ୍ତା ୧୫ ତାରିଖ ରବିବାର ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ (ଜାଗର) ପର୍ବ ଭକ୍ତିଭାବରେ ପାଳିତ ହେବ। ଏନେଇ ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଏହି ପର୍ବକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ଗତକାଲି ଭୁବନେଶ୍ବର ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଆଲୋଚନା ହୋଇଥିଲା। ଲିଙ୍ଗରାଜ ମନ୍ଦିର ସୁପରଭାଇଜରଙ୍କ କହିବା ଅନୁଯାୟୀ, ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା ପଡ଼େ, ସେହି ଦିନ ମହାଶିବରାତ୍ରୀ ପାଳନ କରାଯାଏ। ଏଥର ୧୫ ଫେବୃଆରୀ ରାତିରେ ଚତୁର୍ଦ୍ଦଶୀ ଓ ବେଢା ରହୁଥିବାରୁ ସେହିଦିନ ରାତି ୧୦ଟାରେ ମହାଦୀପ ଉଠିବ।
ସେପଟେ, ମହାପ୍ରଭୁଙ୍କ ନୀତିକାନ୍ତି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା, ଠିକ୍ ସମୟରେ ମହାଦୀପ ଉଠାଇବା ଏବଂ ଭକ୍ତମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଟ୍ରାଫିକ ସୁପରିଚାଳନା, ପରିଷ୍କାର-ପରିଚ୍ଛନ୍ନତା, ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ସୁରୁଖୁରୁ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ଆଇନ ବିଭାଗର ଶାସନ ସଚିବ, ପୋଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଓ ସେବାୟତ ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ସମସ୍ତଙ୍କ ମିଳିତ ସହଯୋଗରେ ଏବର୍ଷ ଜାଗର ପର୍ବକୁ “ଶୂନ୍ୟ ଅଘଟଣ” ସହ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି।