ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ଯୋଗାଇ ଦିଆଯିବ କାଗଜ ବ୍ୟାଗ୍

(ରିପୋର୍ଟସ ଟୁଡ଼େ): ପରିବେଶର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ରାଜଧାନୀରେ ପଲିଥିନ୍ ବ୍ୟାନ୍ କରାଯାଇଛି । ଚାରିଆଡ଼େ ଏହି ବିଷୟକୁ ନେଇ ସଚେତନତା କାର୍ଯ୍ୟମାନ କରାଯାଉଛି । ଏନେଇ ଶ୍ରୀ ଲୀଙ୍ଗରାଜ ମନ୍ଦିରରେ ଏଣିକି ପଲିଥିନ୍ ପୂରାଇ ଦିଆଯିବ ଦାହିଁ । ସିଂହଦ୍ୱାର ନିକଟରେ ଶ୍ରଦ୍ଧାଳୁମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ, ଯେପରି ସେମାନେ ମନ୍ଦିର ଭିତରକୁ ପଲିଥିନ୍‌ ନେଇନପାରିବେ। ପଲିଥିନ୍‌ ବଦଳରେ ମନ୍ଦିର ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ କାଗଜ ବ୍ୟାଗ୍‌ ଯୋଗାଇ ଦିଆଯିବ। ମନ୍ଦିର ନିକଟରେ ଥିବା ଦୋକାନୀ ଏହି କାଗଜ ବ୍ୟାଗ୍‌ କିଣି ଶ୍ରଦ୍ଧାଳୁଙ୍କୁ ଫୁଲ, ବେଲପତ୍ର ଓ ଭୋଗ ଯୋଗାଇଦେବେ। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ଦିର କାର୍ୟ୍ୟାଳୟରେ ବିଏମ୍‌ସି ଓ ମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ନିୟନ୍ତ୍ରିତ ବ୍ୟବହାର ଏବଂ ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ରେ ନାଗରିକଙ୍କ ଭାଗଦାନ ସଂପର୍କରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ମନ୍ଦିର କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତା‌ରେ ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ବିଏମ୍‌ସି ଡେପୁଟି କମିସନର ଦୀପ୍ତିମୟୀ ସାହୁ, ଡ. ଆର୍‌.କେ. ଦାସ ଓ ସେବାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ।