ଭଡାଘରରେ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ

(ଆଦର୍ଶ ରାଉତ ) : ଭଡାଘରୁ ଡାକ୍ତରାଣୀଙ୍କର ମୃତଦେହ ଉଦ୍ଧାର । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ଶ୍ରୀବିହାରର ଏକ ଭଡା ଘରୁ ଆଜି ଜଣେ ଡାକ୍ତରାଣୀଙ୍କର ରହସ୍ୟଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ମନସ୍ୱିନୀ ବାରିକ ହୋଇଥିବା ବେଳେ ତାଙ୍କ ଘର ବରଗଡ ବୋଲି ଜଣାପଡିଛି ।

ସୂଚନାଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ହୋମିଓପାଥି ଡାକ୍ତରାଣୀ ଭାବେ ସେ କାର୍ୟ୍ୟ କରୁଥିଲେ । ଆଜି ଘରର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ସହିତ ମେଡିକାଲ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମନସ୍ୱିନୀଙ୍କ ମୃତଦେହ ନିକଟରୁ କିଛି ସିରିଞ୍ଜ ଓ ମେଡିସିନ ପୋଲିସ ଜବତ କରିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ସନ୍ଦେହ ଘେରରେ । ମନସ୍ୱିନୀ ୩ ବର୍ଷପୂର୍ବରୁ ବିବାହ କରିଥିଲେ କିନ୍ତୁ ତାଙ୍କର ଛାଡପତ୍ର ଗତ ମେ’ମାସରେ ହୋଇଯାଇଥିଲା ।

ସେପଟେ ମନସ୍ୱୀନିଙ୍କ ବାପା କହିବା ଅନୁସାରେ ତାଙ୍କ ଆତ୍ମହତ୍ୟା କରି ନାହାନ୍ତି । ଏହି ଘଟଣା ସଠିକ୍ ତଦନ୍ତ କରାଗଲେ ସତ୍ୟସତ୍ୟା ଜଣାପଡିବ ଏବଂ ଏମିତି କୌଣସି କାରଣ ନଥିଲା ଯେ , ସେ ଆତ୍ମହତ୍ୟା କରିବ ।

ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମନସ୍ୱନୀ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସମସ୍ତ ଦିଗକୁ ଠିକ୍ ଭାବେ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପମ ସାହୁ ।