ପୁରୀ : ଚୈତ୍ର କୃଷ୍ଣ ଷଷ୍ଠୀ ତିଥି। ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ। ଏଥିପାଇଁ ଆପାତତଃ ସଂନ୍ଧ୍ୟା ୬ଟାରୁ ରାତି ୧୦ଟା ଅର୍ଥାତ୍ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଖସାପଡ଼ା ଲାଗି ହେଉଛି ଏକ ଗୁପ୍ତ ନୀତି। ଏହି ନୀତିରେ ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ମହପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି। ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି। ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ। ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି।