ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆସନ୍ତା ୨୫ ତାରିଖରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ସମ୍ବିଧାନ ହତ୍ୟା ଦିବସ ପାଳିବେ ରାଜ୍ୟ ସରକାର  । ଜରୁରୀକାଳୀନ ସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ସମ୍ବିଧାନ ହତ୍ୟା ଦିବସ ପାଳିବେ ସରକାର  । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି  । ଏହି ଅବସରରେ ଭୁବନେଶ୍ବରରେ ଆୟୋଜନ ହେବ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ  । କାର୍ଯ୍ୟକ୍ରମରେ ଜରୁରୀକାଳୀନ ସ୍ଥିତିର ସ୍ବତନ୍ତ୍ର ସେନାନୀଙ୍କୁ ସମ୍ବର୍ଦ୍ଧିତ କରାଯିବ  । ସ୍କୁଲ ଓ କଲେଜ ସ୍ତରରେ ବକ୍ତୃତା, କୁଇଜ୍, ପ୍ରବନ୍ଧ ପ୍ରତିଯୋଗିତା ହେବ ବୋଲି ସୂଚନା ମିଳିଛି  ।

ସୂଚନା ଅନୁସାରେ, ଭୁବନେଶ୍ବର ରେଳ ଅଡିଟୋରିଅମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ ଆୟୋଜିତ ହେବ । ଓଡିଶାର ସମସ୍ତ ଜିଲ୍ଲାରୁ ଜନସାଧାରଣ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ଅବସରରେ ସ୍କୁଲ ଓ କଲେଜ ସ୍ତରରେ ବକ୍ତୃତା, କୁଇଜ୍, ପ୍ରବନ୍ଧ ପ୍ରତିଯୋଗିତା ହେବ । ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ କର୍ମଶାଳା, ବକ୍ତୃତା ଓ ସେମିନାର ଆୟୋଜନ କରାଯିବ ।

ସେପଟେ ଏହି ଉପଲକ୍ଷେ କ୍ରୀଡା ବିଭାଗ ପକ୍ଷରୁ ଶୋଭାଯାତ୍ରାର ଆୟୋଜନ କରାଯିବ । ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ସମ୍ମାନିତ କରିବା ଉପଲକ୍ଷେ ଆୟୋଜନ ହେଉଥିବା ଏଭଳି ଏକ ମହତ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଉତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପ୍ରଦର୍ଶନୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନର ମଧ୍ୟ ଦାୟିତ୍ବ ଦିଆଯାଇଛି ।

ସୂଚନାଯୋଗ୍ୟ, ୧୯୭୫ ମସିହା ଜୁନ ୨୫ ତାରିଖରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୨୬ ଜୁନ୍‌ରେ ରେଡିଓ ମାଧ୍ୟମରେ ଇମରଜେନ୍ସି ନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏହି ନିଷ୍ପତ୍ତି ଭାରତ ଇତିହାସରେ ଏକ ବିବାଦୀୟ ଘଟଣା । ରାଜନୈତିକ ଅସ୍ଥିରତା ପାଇଁ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଥିଲା ବୋଲି କୁହାଯାଏ । ଜରୁରୀକାଳୀନ ସମୟରେ ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଗଣମାଧ୍ୟମରେ ସ୍ୱର ଦମନ କରିବା ସହ ନାଗରିକଙ୍କ ସ୍ୱାଧୀନତା ମଧ୍ୟ ସୀମିତ କରାଯାଇଥିଲା ।