ଗୋପ/ଜୟନ୍ତ କୁମାର ସେଠୀ: ବିବାହ, ବ୍ରତ, ଶୁଦ୍ଧିଘର ଇତ୍ୟାଦି ସାମାଜିକ କାର୍ୟ୍ୟକ୍ରମ ପାଳନ ନିମନ୍ତେ ନିର୍ଦ୍ଧାରିତ ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ ପୁରୀ ଜିଲ୍ଲା ଟେଣ୍ଟ, କ୍ୟାଟରର, ପୁଷ୍ପସଜା, ଆଲୋକ ଏବଂ ଶବ୍ଦ ପ୍ରକରଣର ସଙ୍ଘ ସମୂହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପ୍ରଦାନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ସରକାରୀ ନିର୍ଦ୍ଧେଶ ଅନୁଯାଇ ସାର୍ବଜନୀନ ଭାବରେ ସାମାଜିକ କାର୍ୟ୍ୟକ୍ରମ ଗୁଡିକ ବନ୍ଦ ରହିବା ଯୋଗୁଁ ସମ୍ପୂର୍ଣ ଭାବେ ସମସ୍ତ ବ୍ୟବସାୟ ବନ୍ଦ ହୋଇଯାଇଛି ।
ଏହାକୁ ନିର୍ଭର କରି ଚଳୁଥିବା ଓଡ଼ିଶାର ହଜାର ହଜାର ଲୋକଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡିଛି । କରୋନା ସଂକ୍ରମଣ କମୁଥିବାରୁ ପରିସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ କ୍ଷେତ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇଥିବାବେଳେ ବିବାହ, ବ୍ରତ, ଶୁଦ୍ଧଘର ଓ ସାମାଜିକ କାର୍ୟ୍ୟକ୍ରମ କ୍ଷେତ୍ରରେ କୌଣସି କୋହଳ କରାଯାଉନାହିଁ । ତେଣୁ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇ ବିବାହ ଇତ୍ୟାଦି ସାମାଜିକ କାର୍ୟ୍ୟକର୍ମରେ ଅନୁନ୍ୟ ୩୦୦ ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁମତି ପାଇଁ ଦାବି କରିଛନ୍ତି ଅଲ ଓଡିଶା ଟେଣ୍ଟ, କ୍ୟାଟରର, ପୁଷ୍ପ, ଆଲୋକ ଓ ଶବ୍ଦ ପ୍ରକରଣ ସଙ୍ଘ ।