ଭୁବନେଶ୍ଵର: ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ । ଦୁଷ୍କର୍ମ ମାମଲାରେ ଗିରଫ ଅମରେଶ ଜେନା ଓରଫ ବାୟାଁଙ୍କୁ ଜାମିନ୍ । ୨୫ ହଜାର ଟଙ୍କିଆ ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ । ପୀଡ଼ିତାଙ୍କ ଘର ଅଞ୍ଚଳକୁ ନଯିବାକୁ ହାଇକୋର୍ଟଙ୍କ ସର୍ତ୍ତ ।
ସୂଚନା ଅନୁସାରେ, କର୍ପୋରେଟର୍ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ସଙ୍ଗୀନ ଅଭିଯୋଗ ଆଣିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ କେସ୍ ନଂ-୩୯୪ରେ ବିଏନ୍ଏସ୍ ଦଫା ୬୪(୨) (ଏମ), ୮୯, ୨୯୬, ୩୫୧(୨) ଓ ପୋକ୍ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଥିଲା । ପୋଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମାଇନା କରାଇବା ସହ ବିଏନ୍ଏସ୍ଏସ୍ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରିଥିଲା ।

ଅଭିଯୋଗ ଅନୁସାରେ, ଗତ ୨୦୨୩ ମସିହାରେ ମହିଳା ଜଣଙ୍କ ୧୭ ବର୍ଷ ବୟସର ହୋଇଥିବା ବେଳେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ ତାଙ୍କର କର୍ପୋରେଟର୍ ବାୟାଁଙ୍କ ସହ ସାକ୍ଷାତ ହୋଇଥିଲା । ପରସ୍ପର ପରିଚିତ ହେବା ପରେ ବାୟାଁ ତାଙ୍କୁ ଏକ ମୋବାଇଲ୍ ଉପହାର ଦେଇଥିଲେ। କିଛିଦିନ କଥାବାର୍ତ୍ତା ପରେ ବାୟାଁ ଭଲପାଉଥିବା କହିଥିଲେ । ବାରମ୍ବାର ପ୍ରେମ ନିବେଦନ ପରେ ନାବାଳିକା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ଏହାପରେ ବାୟାଁ ତାଙ୍କୁ ପୁରୀକୁ ନେଇ ସେଠାରେ ଜଣେ ସାଙ୍ଗଙ୍କ ଘରେ ରଖି ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ବିଭିନ୍ନ ସମୟରେ ବୁଲାବୁଲି କରିବା ସହ ଉଭୟ ସମ୍ପର୍କ ରଖିଥିଲେ ।
ଗତ ୨୦୨୪ ମସିହା ଫେବ୍ରୁଆରି ମାସରେ ସେ ଦୁଇମାସର ଗର୍ଭବତୀ ଥିବା ଜଣାଇବା ପରେ ବାୟାଁ ଚତୁରତାର ସହ ତାଙ୍କ ଗର୍ଭ ନଷ୍ଟ କରିଥିଲେ । ସେ କହିଥିଲେ ଯେ ମୋର ପତ୍ନୀଙ୍କ ସହ ଠିକ୍ ଚାଲିନାହିଁ । ମୁଁ କିଛି ମାସ ମଧ୍ୟରେ ଛାଡ଼ପତ୍ର ଦେବି । ତେଣୁ ତୁମେ ଗର୍ଭ ନଷ୍ଟ କରିଦିଅ । ଛାଡ଼ପତ୍ର ପରେ ଆମେ ବିବାହ କରିବା । ଏହାପରେ ଯୁବତୀ ଗର୍ଭ ନଷ୍ଟ କରିଥିଲେ । ଗର୍ଭ ନଷ୍ଟ ପରେ ମଧ୍ୟ ଉଭୟ ପୂର୍ବ ଭଳି ବିଭିନ୍ନ ସ୍ଥାନକୁ ଯାଇ ସମ୍ପର୍କ ରଖିଥିଲେ । ତେବେ ଗତ ଏପ୍ରିଲ୍ ମାସରେ ବାୟାଁ ଯୁବତୀଙ୍କୁ ନିଜ କାର୍ରେ ନେଇ ହଠାତ୍ ତାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଆଉ ଦୂରେଇ ରହିବାକୁ କହିଥିଲେ । ଉଭୟଙ୍କ ଭିତରେ ଥିବା ସମ୍ପର୍କ ଓ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ନେଇ ଆଜି ଯୁବତୀ ଜଣଙ୍କ ବାୟାଁଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ।