ଭୁବନେଶ୍ଵର: ଶପଥ ନେଲେ ଜୟ ଢୋଲକିଆ। ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ଜୟ ଢୋଲକିଆ। ଗୁରୁବାର ମଧ୍ୟାହ୍ନ ସମୟରେ ବାଚସ୍ପତି ସୁରମା ପାଢୀ ଜୟ ଢୋଲକିଆଙ୍କ ଶପଥ ପାଠ କରାଇଲେ। ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ନେଲେ ଶପଥ ।

୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୫ ମସିହାରେ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଯାହାପରେ ନୂଆପଡ଼ାରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଥିଲା । ୨୦୨୫ ମସିହା ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରେ ନଭେମ୍ବର ୧୪ରେ ହୋଇଥିବା ଭୋଗ ଗଣତିରେ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ଘାସିରାମ ମାଝୀଙ୍କୁ ପରାଜିତ କରିଥିଲେ ଜୟ ଢୋଲକିଆ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗୁରୁବାର ଦିନ ବାଚସ୍ପତି ଜୟ ଢୋଲକିଆଙ୍କୁ ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି।

ଜଣେ ସାଧାରଣ ବିଧାୟକ ଭାବେ ଜୟଙ୍କୁ ମାସିକ ଦରମାରେ ତାଙ୍କ ବେତନ ସହ ଅନ୍ୟାନ୍ୟ ଆନୁଷାଙ୍ଗିକ ଭତ୍ତା ମିଳିବ। ଓଡ଼ିଶାରେ ବିଧାୟକଙ୍କ ମୂଳ ଦରମା ୩୫,୦୦୦ ଟଙ୍କା ରହିଛି। ତେବେ ଅନ୍ୟାନ୍ୟ ଭତ୍ତା (ବିଧାନ ମଣ୍ଡଳ ଭତ୍ତା, ଅଫିସ ଖର୍ଚ୍ଚ, ଫୋନ-ଇଣ୍ଟରନେଟ ଭତ୍ତା) ବାବଦକୁ ମାସକୁ ଆହୁରି ଅତିରିକ୍ତ ୬୫,୦୦୦ ଟଙ୍କା ସହାୟତା ରାଶି ମିଳିଥାଏ । ଏହା ବ୍ୟତୀତ ବିଧାନସଭା ସେସନ ସମୟରେ ବିଧାୟକଙ୍କୁ ପ୍ରତିଦିନ ୧୫୦୦ ଟଙ୍କା ଡେଲି ଆଲାଉନ୍ସ ମିଳିଥାଏ। ଏହାଛଡା ବିଧାୟକଙ୍କ ପାଇଁ ରାଜ୍ୟ ଭିତରେ ଯାତ୍ରା ଖର୍ଚ୍ଚ ଓ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ ରହିଛି।