ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ୍ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ସୁପର ସଣ୍ଡେରେ ହେବାକୁ ଥିବା ଏହି ମହାମୁକାବିଲାକୁ ନେଇ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଭାରୀ ଉତ୍ସାହ ଦେଖାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ ଓ ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମ୍ ଉତ୍ସବମୁଖର ହେବ। ଲଗାତାର ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ୍ ଟ୍ରଫି ଜିତିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଥିବା ବେଳେ, ଅନ୍ୟପଟେ ନ୍ୟୁଜିଲାଣ୍ଡ ମଧ୍ୟ ଏହି ଟ୍ରଫି ଜିତିବାକୁ ପ୍ରତିବଦ୍ଧ ରହିଛି।

ଫାଇନାଲ୍ ମ୍ୟାଚରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନଥିବା ଖବର ମିଳିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ ମଧ୍ୟରୁ ଗୋଟିଏ। ଏଠାରେ ମୋଟ ୧୧ଟି ପିଚ୍ ରହିଛି, ଯେଉଁଥିରେ ଲାଲ୍ ମାଟି ଓ କଳା ମାଟିର ପିଚ୍ ବ୍ୟବହାର କରାଯାଇଛି। ଫାଇନାଲ୍ ମ୍ୟାଚ୍ ପାଇଁ କେଉଁ ପିଚ୍ ବ୍ୟବହାର ହେବ, ତାହା ପାଣିପାଗ ପରିସ୍ଥିତି ଓ ଦୁଇ ଦଳର ରଣନୀତି ଉପରେ ନିର୍ଭର କରିବ। ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ୩୦ଟି ଟି–୨୦ ମ୍ୟାଚ୍ ଖେଳାଯାଇଛି। ସେଥିରୁ ଭାରତ ୧୬ଟି ମ୍ୟାଚ୍ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୧୧ଟି ମ୍ୟାଚ୍ ଜିତିଛି ଓ ୩ଟି ମ୍ୟାଚ୍ ଟାଇ ହୋଇଛି।

ଟାଇ ହୋଇଥିବା ମ୍ୟାଚ୍ଗୁଡିକ ମଧ୍ୟରୁ ଦୁଇଟିରେ ସୁପର ଓଭରରେ ଭାରତ ଜିତିଥିଲା। ସେମିଫାଇନାଲ୍ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବୋଲରମାନଙ୍କ ପ୍ରଦର୍ଶନ କିଛିଟା ନିରାଶାଜନକ ଥିଲା। ଅର୍ଶଦୀପ ସିଂହ ୪ ଓଭରରେ ୫୧ ରନ୍ ଦେଇ ମାତ୍ର ୧ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୬୪ ରନ୍ ଦେଇ ୧ଟି ୱିକେଟ୍ ନେଇଥିଲେ। ତେବେ ବରୁଣଙ୍କ ଫର୍ମକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଫାଇନାଲ୍ ମ୍ୟାଚରେ ତାଙ୍କୁ ପୁଣି ସୁଯୋଗ ମିଳିଛି। ସେହିପରି ଅଭିଷେକ ଶର୍ମାଙ୍କ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ। ତଥାପି ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏହି ମହାମୁକାବିଲାକୁ ନେଇ କୋଟି କୋଟି କ୍ରିକେଟ୍ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରୁଛନ୍ତି।