ଭୁବନେଶ୍ଵର: ଏଥର ଭିଜିବ ଦଶହରା । କାରଣ ସେପ୍ଟେମ୍ବର ଶେଷ ସପ୍ତାହରେ ପଛକୁ ପଛ ତିନି ତିନିଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବରେ ଲଗାଣ ବର୍ଷା ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୨୩, ୨୬ ଓ ୩୦ରେ ପଛକୁ ପଛ ତିନିଟି ଲଘୁଚାପ ସୃଷ୍ଟି ହୋଇପାରେ । ୨୬ ତାରିଖରୁ ବଦଳିବ ପାଗ । ୨୯ ଯାଏଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ରହିଛି । ବିଶେଷ କରି ୨୭ ଓ ୨୮ରେ ଅଧିକ ବର୍ଷିବା ସମ୍ଭାବନା ରହିଛି ।

୨୩ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାର ପ୍ରଭାବରେ ରାଜ୍ୟରେ କିଛି ପରିମାଣରେ ବର୍ଷା ହେବ । ତାପରେ ୨୬ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ଘନୀଭୂତ ହୋଇ ୨୭ରେ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ତାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୭ ତାରିଖ ରାତି ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବ । ସେହିପରି ୩୦ ତାରିଖରେ ଉତ୍ତର ବଙ୍ଗୋପସଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ସେହିପରି ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ଗରମ ଓ ଗୁଳୁଗୁଳିର ପ୍ରଭାବ । ସାଧାରଣ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରି ବଢ଼ିବ ଦିନ ତାପମାତ୍ରା । ହେଲେ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।