ବଢିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ, ଖାରଜ ହେଲା ଆବେଦନ

କଟକ; ବଢିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ  । ବିଷ୍ଣୁପଦଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ  । ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ ରେଡ୍‌ କରିଥିଲା ସିବିଆଇ  । ଓଡ଼ିଶା ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲାଞ୍ଚ ମାମଲାରେ ରେଡ୍‌ କରିଥିଲା ସିବିଆଇ  । ସିବିଆଇ ରେଡ୍‌କୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ  । ପ୍ରାରମ୍ଭିକ ଶୁଣାଣିରେ କାର୍ୟ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ  । କିନ୍ତୁ ଆବେଦନ ଖାରଜ କରିବା ସହ ଏଥର ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଛନ୍ତି ହାଇକୋର୍ଟ  । ତେବେ ଅନ୍ତରୀଣ ଅଙ୍କୁଶ ହଟିଥିବାରୁ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଛି  ।

କିଛି ଦିନ ତଳେ ସକାଳୁ ସକାଳୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ କରିଥିଲା ସିବିଆଇ । ଟେଣ୍ଡର ଫିକ୍ସିଂ ଏବଂ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ କମ୍ପାନିକୁ ଅହେତୁକ ଅନୁକମ୍ପା, ଏହାସହିତ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବିଷ୍ଣୁପଦଙ୍କ ଘରେ ରେଡ୍ କରିଥିଲା ।  ଏହାପରେ ସିବିଆଇର ଏହି ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଥିଲେ ବିଷ୍ଣୁପଦ । ସେତେବେଳେ ସେ କହିଥିଲେ, ମୁଁ ଗତ ୩୦ ବର୍ଷ ହେଲା ଓଡ଼ିଶା ସରକାରରେ ନିଷ୍ଠାର ସହ କାମ କରିଛି । କେବେ କୌଣସି କାମରେ ଖିଲାପ କରିନି । ଏବେ ସିବିଆଇ ତାଙ୍କ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି, ସେ ସବୁକିଛି ଭିତ୍ତିହୀନ । ତାଙ୍କୁ ଅଯଥାରେ ସମସ୍ୟାରେ ପକାଇବାକୁ ଏପରି କରାଯାଉଥିବା ସେ କହିଥିଲେ ।

ସୂଚନାନୁଯାୟୀ, ଭୁବନେଶ୍ବରର ଏକ ହୋଟେଲ ନିକଟରେ କାର ଭିତରେ ଲାଞ୍ଚ କାରବାର ପାଇଁ ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍‌ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା। ଦେଢଶହ କୋଟିର ଏକ ଟେଣ୍ଡର ହାତେଇବାକୁ ଡିଲ ବେଳେ ଏମାନଙ୍କୁ ସିବିଆଇ ଧରିଥିଲା। ଏହି ଟେଣ୍ଡର ଘୋଟାଲାରେ ଲିଙ୍କ ଥିବା ଅଭିଯୋଗରେ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ କରିଥିଲା। ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଥିଲେ। ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି କରିଥିଲେ।