ବ୍ରହ୍ମପୁରରେ ଭୁଶୁଡିଲା ଶତାୟୁ କୋଠା ! “ଧନେଇ ଡ୍ୟାମ୍”ରେ ବଢିଲା ଜଳ ସ୍ତର

(ହିଂଜିଳି / ରଜନୀ କାନ୍ତ ପାତ୍ର) : ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ ହୋଇ ପଡିଛି । ସହରରେ ଥିବା ୧୦୯ ବର୍ଷର ପୁରୁଣା ଐତିହାସିକ ଆନ୍ଧ୍ର ମହିଳା ସମାଜ କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି ।ଶନିବାର ବିଳମ୍ବିତ ରାତିରେ କୋଠାଟି ଭୁଶୁଡି ଯାଇଥିଲା ।କୋଠାର ଲାଇବ୍ରେରୀରେ ଅନେକ ବହି ରହିଥିଲା ଅଘଟଣରେ କେହି ଆହତ ହୋଇନଥିବା ବେଳେ ବହି ଗୁଡିକ ନଷ୍ଟ ହୋଇଯାଇଛି । ପାଠାଗାରରେ ଅନେକ ବିରଳ ପୁସ୍ତକ ସବୁ ରହିଥିବା । ଯାହା ସ୍ୱାଧିନତା ସଂଗ୍ରାମଠୁ ଆରମ୍ଭ କରି ଅନେକ ଘଟଣାର ମୁକସାକ୍ଷୀ ଥିଲା । ସେହିପରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଜଳସମ୍ପଦ ବିଭାଗ ଅଧିନରେ ଥିବା , ପୋଲସରା ନିକଟ “ଧନେଇ ଡ୍ୟାମ୍” ରେ, ଜଳସ୍ତର ବୃଦ୍ଧି ପାଇଛି । ଏନେଇ ତଳିଆ ଅଞ୍ଚଳ ଏବଂ ଧନେଇ ନଦୀ କୂଳିଆ ଲୋକଙ୍କୁ ସତର୍କ ସୂଚନା ଜାରି କରିଛି ଜଳସମ୍ପଦ ବିଭାଗ । ଗତ ଦିନରେ ଜଳଭଣ୍ଡାର ଅଞ୍ଚଳରେ ୪୮୫ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ , ଗତ ୨୪ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ , ୧୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ଡ୍ୟାମର ଜଳଧାରଣ ର ଉଚ୍ଚତା ୮୮.୭୦ ମିଟର ରହିଥିବା ବେଳେ , ବର୍ତ୍ତମାନ ତାହା ଅଧିକ ରହିଛି । ଏଣୁ ଜଳପ୍ରବାହ ଗେଟ ମଧ୍ୟ ଦେଇ , ତାହା ଧନେଇ ନଦୀ ମାଧ୍ୟମରେ ପ୍ରବାହିତ ହେଉଥିବାରୁ , ପୋଲସରା ନିକଟ ଭାବରଡା , ତେନ୍ତୁଳିଆ , ମଧୁପଲ୍ଲୀ , ନିମିନା , ଜକର , କଳମ୍ବ , ଘୋଡାପଲଣ ଏବଂ ପାଇକଜମୁନା ପଞ୍ଚାୟତ ର ଲୋକଙ୍କୁ ସଜାଗ ରହିବା ସହ ଧନେଇ ନଦୀ ଭିତରକୁ ନଯିବାପାଇଁ ସତର୍କ ସୂଚନା ଜାରି କରାଯାଇଥିବା ନେଇ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ସୂଚନା ମିଳିଛି ।