New Delhi: ହାଇୱେରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ଏପ୍ରିଲ ୧ ତାରିଖରୁ ଜାତୀୟ ରାଜପଥ ଦେଇ ଯାତ୍ରା କରିବା ଆହୁରି ମହଙ୍ଗା ହେବାକୁ ଯାଉଛି। National Highways Authority of India (NHAI) ପକ୍ଷରୁ ବାର୍ଷିକ ଟୋଲ୍ ପାସ୍ ଏବଂ ଟୋଲ୍ ଟିକସରେ ସଂଶୋଧନ କରାଯାଇଛି। NHAI ବାର୍ଷିକ ପାସ୍ ଫିକୁ ୩,୦୦୦ ଟଙ୍କାରୁ ବୃଦ୍ଧି କରି ୩,୦୭୫ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି। ଏହି ନୂତନ ହାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଯୁଜ୍ୟ ହେବ। ଏହି ପାସ୍ ବ୍ୟକ୍ତିଗତ ବାହନ ପାଇଁ ଲାଗୁ ହୁଏ ଯେଉଁଥିରେ ବୈଧ ଏବଂ କାର୍ଯ୍ୟକ୍ଷମ FASTag ଲାଗିଥାଏ।
ବର୍ତ୍ତମାନ ବ୍ୟକ୍ତିଗତ ଗାଡ଼ି ପାଇଁ FASTag Annual Pass ର ମୂଲ୍ୟ ୩,୦୦୦ ଟଙ୍କା ରହିଥିବା ବେଳେ ଏପ୍ରିଲ ୧ ତାରିଖରୁ ଏହାର ମୂଲ୍ୟ ୨.୫ ପ୍ରତିଶତ ବୃଦ୍ଧି ପାଇ ୩,୦୭୫ ଟଙ୍କା ହେବ। ଏହି ପାସ୍ ଗୋଟିଏ ବର୍ଷ କିମ୍ବା ୨୦୦ ଥର ଟୋଲ୍ କ୍ରସିଂ—ଯେଉଁଟି ପ୍ରଥମେ ପୂରଣ ହେବ—ସେହିପର୍ଯ୍ୟନ୍ତ ବୈଧ ରହିବ। ଅର୍ଥାତ୍ ଯଦି କୌଣସି ଯାତ୍ରୀ ୨୦୦ ଥର ଟୋଲ୍ ପ୍ଲାଜା ଅତିକ୍ରମ କରିଦିଅନ୍ତି, ତେବେ ପାସ୍ର ସମୟସୀମା ଗୋଟିଏ ବର୍ଷ ହୋଇନଥିଲେ ମଧ୍ୟ ଏହା ଅବୈଧ ହୋଇଯିବ।
ପ୍ରତିବର୍ଷ ଏପ୍ରିଲ ୧ ତାରିଖରୁ NHAI ଟୋଲ୍ ରେଟ୍ରେ ପରିବର୍ତ୍ତନ କରିଥାଏ। ଏହି ବୃଦ୍ଧି ପ୍ରାୟତଃ Wholesale Price Index (WPI) ଅର୍ଥାତ୍ ହୋଲସେଲ୍ ମୁଦ୍ରାସ୍ଫୀତି ଉପରେ ଆଧାରିତ ହୁଏ। ସାଧାରଣତଃ ଏହି ବୃଦ୍ଧି ୩ ରୁ ୫ ପ୍ରତିଶତ ମଧ୍ୟରେ ରହେ ଏବଂ ଏହା ରାସ୍ତା ରକ୍ଷଣାବେକ୍ଷଣ ଓ ନୂତନ ପ୍ରକଳ୍ପ ପାଇଁ ବ୍ୟବହୃତ ହୁଏ। ସେହିପରି, ସରକାର ଏପ୍ରିଲ ୧ ରୁ ଟୋଲ୍ ପ୍ଲାଜାରେ ନଗଦ ଟଙ୍କା ଦେଣନେଣ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ଏହାପରେ ଟୋଲ୍ ପେମେଣ୍ଟ କେବଳ FASTag ଓ UPI ମାଧ୍ୟମରେ କରାଯିବ।