ଭୁବନେଶ୍ୱର:ବାଇକ ଚାଳକ ଓ ପଛରେ ବସିଥିବା ଯାତ୍ରୀ ହେଲମେଟ ନ ପିନ୍ଧିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏପ୍ରିଲ ପହିଲାରୁ ହେଲମେଟ ଆଇନକୁ କଡାକଡି ଲାଗୁ କରିବାକୁରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ କମିସନରେଟ ପୁଲିସକୁ ଚିଠି ଲେଖିଛନ୍ତି।
ନିକଟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକରେ ସଡକ ସୁରକ୍ଷା ମାସ ପାଳନ ଅବସରରେ ଅଧିକାଂଶ ବାଇକ ଚାଳକ ଓ ପଛରେ ହେଲମେଟ ପିନ୍ଧୁ ନ ଥିବାନେଇ ଉଦବେଗ ପ୍ରକାଶ ପାଇଥିଲା । ଏହି ଅଭିଯାନରେ ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧିବେ ସେଥିପ୍ରତି ସଚେତନତା ଓ ସତର୍କ କରିବାକୁ କୁହାଯାଇଛି । ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟର ଏନଫୋର୍ସମେଣ୍ଟ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ହେଲମେଟ ଯାଞ୍ଚରେ ନିୟୋଜିତ କରାଯିବ। ଦରକାର ପଡିଲେ ରିଜର୍ଭ ପୁଲିସ ଫୋର୍ସ ନିୟୋଜିତ ହେବେ ।
ଏହା ବ୍ୟତୀତ ବିଭାଗୀୟ ଷ୍ଟାଣ୍ଡିଂ କମିଟି ନିୟମିତ ବୈଠକ କରିବା ସହ ତତ୍ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଯେପରି ୨୦୨୦ରେ ଘଟିଥିବା ଦୁର୍ଘଟଣାଜନିତ ମୃତାହତ ସଂଖ୍ୟା ୧୦ ପ୍ରତିଶତ ହ୍ରାସ ପାରିବ ସେ ଦିଗରେ ତଦାରଖ କରିବା ପାଇଁ କୁହାଯାଇଛି ।