ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥତି ଅସମ୍ଭାଳ ହୋଇପଡିଛି

ନୂଆଦିଲ୍ଲୀ-: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କିଛି ଦିନ ଧରି ଲଗାତାର ବର୍ଷା ହେଉଛି । ଯାହା ଫଳରେ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ବନ୍ୟା ଓ ଭୂସ୍ଖଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଘରଦ୍ବାର ମାଟିରେ ମିଶିଛି । ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ କର୍ତ୍ତୃପକ୍ଷ ଆଲର୍ଟ ଜାରି କରିଛନ୍ତି ।

ବିଗତ ତିନି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷାରେ ଶତାଧିକ ବାସଗୃହ ନିଶ୍ଚିହ୍ନ ହୋଇଥିବାବେଳେ ରାସ୍ତାଘାଟ ଭୁଶୁଡି ପଡିଛି । ବିରାଟକାୟ ଗଛ ଉପୁଡି କେତେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ରାଜ୍ୟଗୁଡିକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ବନ୍ୟା ଏବଂ ଭୂସ୍ଖଳନରେ  ପ୍ରଭାବିତ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସରକାର ।