ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି ।ବିଶେଷକରି ଦକ୍ଷିଣ ଓଡିଶାରେ ଏହି ଲଘୁଚାପର ପ୍ରଭାବ ଅଧିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅପେକ୍ଷାକୃତ କମ ବର୍ଷା ହେଉଛି ।ଏହି ଲଘୁଚାପ ଏବେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଧୀରେଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର -ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ମଧ୍ୟଦେଇ ଗତି କରିବ ।
ବୁଧବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଏହି ସ୍ଥାନ ଗୁଡିକରେ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ସେହିପରି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ପୁରୀ ଓ ବୌଦ୍ଧରେ ପ୍ରବଳ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୩୦ ବେଳକୁ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ୩୧ ତାରିଖ ସୁଦ୍ଧା ଏହା ଅଧିକ ଶକ୍ତିଶାଳୀ ହୋଇ ଅବପାତ ବା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଏହି ଦ୍ୱିତୀୟ ଲଘୁଚାପ ଟି ପ୍ରଥମ ଲଘୁଚାପ ତୁଳନାରେ ଭଲ ବର୍ଷା କରାଇବ ଓ ସାର ରାଜ୍ୟରେ ବର୍ଷା ହେବ। ଆକଳନ କରାଯାଉଛି ଯେ ଉପକୂଳରେ ୨୯ରୁ ଲଘୁଚାପ ବର୍ଷା ଆରମ୍ଭ ହୋଇ ଅଗଷ୍ଟ ୨ ପର୍ୟ୍ୟନ୍ତ ବିସ୍ତୃତ ବର୍ଷା ହେବ। ଜୁଲାଇ ୩୦ ଓ ୩୧ରେ ଉପକୂଳ, ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ଭାରୀ ବର୍ଷା ହେବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ରେ ଜୁଲାଇ ୩୧ରୁ ଅଗଷ୍ଟ ୧ରେ ଭାରି ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।