ଜୀବନକୁ ବାଜି ଲଗାଇ ଭରା ନଇ ପାର ହୋଇ ମଶାଣି ଯିବାକୁ ପଡୁଛି

କୋରାପୁଟ:- ଛାତିଏ ପାଣିରେ ମରଶରୀର ଧରି ନଦୀ ପାର ହେଉଛନ୍ତି ଲୋକେ । କୋକେଇ ଧରି ବାହାରିଛନ୍ତି ସତ କିନ୍ତୁ ବାଟ ଓଗାଳୁଛି ଭରା ନଈ । ଗାଁ ଶେଷ ମୁଣ୍ଡରେ କୋକେଇ ଧରି ବାହାରିଛନ୍ତି ସାହି ଭାଇ । କୋକେଇ ଉପରେ ମରଶରୀର, ଯାହାର ଠିକଣା ମଶାଣୀ । କିନ୍ତୁ ଏଠି ମଶାଣୀ ଯିବାକୁ ରାସ୍ତା ଖୋଜୁଛି ମରଶରୀର । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏଭଳି ଅଭାବନୀୟ ଦୃଶ୍ୟ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ବଗେଇ ପଦର ଗାଁରେ ଦେଖିବାକୁ ମିଳିଛି । ଗାଁରେ ରହୁଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ତାଙ୍କ ମରଶରୀର ଧରି ସତ୍କାର ପାଇଁ ସମ୍ପର୍କୀୟ, ପରିବାର ବର୍ଗ ତଥା ବନ୍ଧୁ ବାନ୍ଧବ ବାହାରିଥିଲେ ମଶାଣୀ । ହେଲେ ମଶାଣୀ ଯିବା ପୂର୍ବରୁ ବାଟ ଓଗାଳିଲା ମୁରାନ ନଦୀ । ସ୍ଥାୟୀ ପୋଲ ନଥିବାରୁ ଭରା ନଦୀରେ ଜୀବନକୁ ବାଜି ଲଗାଇ କୋକେଇରେ ମରଶରୀର ଧରି ମଶାଣି ନେଇଗଲେ ସାହି ଭାଇ । ଏଭଳି ଘଟଣା ଦିନେ କି ଦୁଇଦିନର ନୁହେଁ ବର୍ଷ ତମାମ ଏଭଳି ଘଟଣା ଦେଖିବାକୁ ମିଳେ । ଲୋକଙ୍କ ଜୀବନ ବିପଦରେ ଥିବାବେଳେ ପ୍ରସାଶନ କିନ୍ତୁ ନୀରବ  । ଖରାଦିନେ ନଦୀରେ କମ ପାଣି ଥିବାରୁ, ଯେମିତି ସେମିତି ଚଳିଯାଏ ହେଲେ ବର୍ଷା ଦିନେ ଗାଁ ଅବସ୍ତା ସାଙ୍ଘାତିକ ହୋଇଯାଏ । ତୁରନ୍ତ ଜିଲ୍ଲା ପ୍ରଶାସନ ସମସ୍ୟାକୁ ଦୃଷ୍ଟି ଦେବା ସହିତ ଏଠାରେ ସ୍ଥାୟୀ ପୋଲ ନିର୍ମାଣ ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।