କୋଭିଡ ଉପକରଣରେ ଜିଏସଟି ୫%କୁ ଖସିଲା

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ ଟୀକା ଉପରେ ଜିଏସଟିରେ କୌଣସି ପରିବର୍ତ୍ତନ କରାଯାଇନଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି, ‘ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ବ୍ୟବହୃତ ଦୁଇଟି ଔଷଧ ଟୋସଲିଜୁମାବ, ଆମ୍ଫୋଟେରିସିନ-ବି ଉପରୁ ଟିକସ ସମ୍ପୂର୍ଣ୍ଣ ଉଠାଯାଇଛି । ପୂର୍ବରୁ ଏହି ୨ ଔଷଧ ଉପରେ ୫% ଜିଏସି ଲାଗୁ ହେଉଥିଲା । କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ ଜିଏମଟି ୧୨%ରୁ ୫%କୁ ହ୍ରାସ କରାଯାଇଛି । କୋଭିଡ ଚିକିତ୍ସାରେ ବ୍ୟବହୃତ ସରଞ୍ଜାମ ଉପରୁ ବି ଟିକସ ହ୍ରାସ ହୋଇଛି । ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର ଉପରୁ ଜିଏସଟି ୧୨ରୁ ୫%କୁ ହ୍ରାସ କରାଯାଇଛି । କୋଭିଡ ଟେଷ୍ଟିଂ କିଟ ଉପରୁ ଜିଏସଟି ୧୨%ରୁ କମି ୫% ହୋଇଛି । ଅକ୍ସିମିଟର, ସାନିଟାଇଜର, ଉତ୍ତାପ ମାପକ ଯନ୍ତ୍ରରୁ ଜିଏସଟି ୫%କୁ ହ୍ରାସ ପାଇଛି । ଆମ୍ବୁଲାନ୍ସ ଉପରୁ ମଧ୍ୟ ଟିକସ ୨୮%ରୁ ୧୨%କୁ ହ୍ରାସ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।