ମାନବ ଜାତି ପାଇଁ ଆସୁଛି ଘୋର ବିପଦ

ଜଗତସିଂହପୁର: ଜନବସତି ଆଡକୁ ମାଡି ଆସୁଛି ମହାବିପଦ । କେବେ ଜଙ୍ଗଲୀ ଜୀବଜନ୍ତୁ, କେବେ ଦୈବି ଦୁର୍ବିପାକ ତ ଆଉ କେତେବେଳେ ଅଶାନ୍ତ ସମୁଦ୍ର । ପ୍ରକୃତି ଏବେ ସାରା ମାନବ ସମ୍ବଳ ଉପରେ ଦାଉ ସାଧିଛି । ବାଲେଶ୍ୱର ଏବଂ ବରଗଡ ଆଦି ଅଞ୍ଚଳରେ ହାତୀ ଆତଙ୍କ ଦେଖାଯାଉଥିବା ବେଳେ ଜଗତସଂହପୁରରେ ଜନବସତିକୁ ଡରାଉଛି ଅଶାନ୍ତ ସମୁଦ୍ର । ଯାହାକୁ ନେଇ ସମୁଦ୍ରକୂଳିଆ ଅଞ୍ଚଳର ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।
ଜଗତସଂହପୁର ଜିଳ୍ଳା ଏରସମା ବ୍ଲକ ଶିଆଳି ନିକଟରେ ସମୁଦ୍ର ହେଉଛି ଜନବସତିର ନିକଟବର୍ତ୍ତୀ । ଏଠାରେ ସମୁଦ୍ର ପ୍ରାୟ ୧୦୦ ମିଟର ଜନବସତି ଆଡକୁ ମାଡି ଆସିଥିବା ଲକ୍ଷ୍ୟ କରାଯାଇଛି । ଫଳରେ ସ୍ଥାନୀୟ ପଦ୍ମପୁର, ଶିଆଳି, ରାମତରା ଏବଂ କଳାବେଦୀ ଆଦି ଅଞ୍ଚଳର ଲୋକେ ଆତଙ୍କିତ ହୋଇ ଜୀବନଯାପନ କରୁଛନ୍ତି । ସମୁଦ୍ର ମାଡିଆସିବା ଫଳରେ ବିପଦ ସଙ୍କୁଳ ହୋଇ ପଡିଛି ଶିଆଳି ବେଳାଭୂମିର ଭିୟୁ ଟାୱାର । ଗତବର୍ଷ ମଧ୍ୟ କଳାବେଦୀ ନିକଟରେ ସମୁଦ୍ର ବନ୍ଧ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏହାର ବର୍ଷକ ପରେ ମଧ୍ୟ ଏହା ମରାମତି ହୋଇ ନଥିବା ବେଳେ ପୁଣିଥରେ ସମୁଦ୍ର କୂଳ ଲଙ୍ଘି ଜନବସତିକୁ ଡରାଇବା ଆରମ୍ଭ କଲାଣି ।