ଭୁବନେଶ୍ଵର: ପ୍ରସିଦ୍ଧ ଓଡ଼ିଆ କବି ଗିରିଜା କୁମାର ବଳିୟାରସିଂ କେନ୍ଦ୍ରର ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫ ପାଇଁ ଚୟନିତ ହୋଇଛନ୍ତି। ତାଙ୍କ କବିତା ସଂଗ୍ରହ ‘ପାଦପୂରଣ’ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ଓ କବିତାର ଅଲଗା ଶୈଳୀ ପାଇଁ ଗିରିଜା କୁମାର ବଳୀୟାରସିଂଙ୍କୁ ଏହି ଜାତୀୟ ସମ୍ମାନ ମିଳିଛି। ସାହିତ୍ୟ ପ୍ରେମୀ ଓ ସାହିତ୍ୟିକ ମହଳରେ ଏହି ସଫଳତା ପାଇଁ ଖୁସିର ଲହରୀ ଦେଖାଯାଇଛି।
ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗିରିଜା କୁମାର ବଳୀୟାରସିଂଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଗର୍ବର ବିଷୟ। ସାହିତ୍ୟ ଏକାଡେମୀ ପୁରସ୍କାର ଦେଶର ସର୍ବୋଚ୍ଚ ସାହିତ୍ୟ ସମ୍ମାନମାନଙ୍କ ମଧ୍ୟରୁ ଗୋଟିଏ ହେବା ସହ ଏହା ପ୍ରତିବର୍ଷ ବିଭିନ୍ନ ଭାରତୀୟ ଭାଷାର ସ୍ରେଷ୍ଠ ସାହିତ୍ୟ କୃତିକୁ ପ୍ରଦାନ କରାଯାଏ।