ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସାନଭାଇ ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ଭାରତ ଅଣାଯାଇଛି। ଏନଆଇଏ ତାଙ୍କୁ ଗିରଫ କରିଛି। ଏନଆଇଏ ସୂତ୍ର ଅନୁଯାୟୀ ଅନମୋଲ ବିଷ୍ଣୋଇ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ଅବତରଣ କରିଥିଲେ ଏବଂ ବର୍ତ୍ତମାନ ଏଜେନ୍ସିମାନେ ତାଙ୍କୁ ବିଭିନ୍ନ ମାମଲାରେ ପଚରାଉଚରା କରିବେ। ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ତାଙ୍କୁ କେଉଁ ଏଜେନ୍ସି ପ୍ରଥମେ ପଚରାଉଚରା କରିବେ ତାହା କେବଳ କେନ୍ଦ୍ର ସରକାର ସ୍ଥିର କରିବେ।

କୁହାଯାଉଛି ଯେ, ଅନମୋଲ ବିଷ୍ଣୋଇ ଅନେକ ହାଇ-ପ୍ରୋଫାଇଲ ମାମଲାରେ ୱାଣ୍ଟେଡ୍ ଅଛି, ଯେଉଁଥିରେ ବାବା ସିଦ୍ଦିକୀଙ୍କର ହତ୍ୟା ବ୍ୟତୀତ ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟାରିଂର ଷଡ଼ଯନ୍ତ୍ର ମଧ୍ୟ ସାମିଲ ଅଛି। ମିଡ଼ିଆ ରିପୋର୍ଟ ମୁତାବିକ, ଅନମୋଲ ବିଷ୍ଣୋଇକୁ ଗତ ବର୍ଷ ନଭେମ୍ୱରରେ ଆମେରିକୀୟ ଅଧିକାରୀମାନେ ହେପାଜତକୁ ନେଇ ଥିଲେ। ଅନମୋଲ ବିଷ୍ଣୋଇକୁ ଭାରତ ଆଣିବା ଭାରତୀୟ ଯାଞ୍ଚ ଏଜେନ୍ସି ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। କୁହାଯାଉଛି ଯେ,ତାଙ୍କର ଗିରଫଦାରୀରେ ଦେଶରେ ହୋଇଥିବା ଅନେକ ବଡ଼ ବଡ଼ ଅପରାଧର ଯାଞ୍ଚକୁ ନେଇ ନୂଆ ଦିଗ ଆହୁରି ମିଳିବ। ଅନମୋଲ ବିଷ୍ଣୋଇ ଉପରେ ସଲମାନ ଖାନଙ୍କ ଘରେ ଫାୟାରିଂର ଷଡ଼ଯନ୍ତ୍ର ରଚିବାକୁ ମଧ୍ୟ ଗୁରୁତର ଅଭିଯୋଗ ଅଛି। ଏହି ଘଟଣା ପରେ ସେ ଚର୍ଚ୍ଚାକୁ ଆସି ଥିଲା। ଭାରତ ଅଣାଯିବା ପରେ ଯାଞ୍ଚ ଏଜେନ୍ସି ତାକୁ ଜୋରଦାର ପଚରାପଚରି କରିବ ଏବଂ ସବୁ ସମ୍ୱନ୍ଧିତ ମାମଲାର ପ୍ରମାଣକୁ ଯାଞ୍ଚ କରିବ।

ତେବେ କହିରଖୁଛୁ ଯେ, ୨୦୨୨ ମସିହାରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ମଧ୍ୟ ଅନମୋଲ ବିଷ୍ଣୋଇ ନାମ ସାମ୍ନାକୁ ଆସିଥିଲା। ସେହିପରି ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୧୨ ଅକ୍ଟୋବର, ୨୦୨୪ରେ ବାନ୍ଦ୍ରାରେ ତାଙ୍କ ପୁଅର କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।ଏହି ମାମଲାରେ ମୋଟ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନମୋଲ ବିଷ୍ଣୋଇ, ଶୁଭମ ଲୋଙ୍କର ଏବଂ ଜିଶାନ ମହମ୍ମଦ ଅଖତରଙ୍କୁ ଖୋଜାଯାଉଥିଲା। ଏବେ, ଅନମୋଲ ଆମେରିକାରୁ ଫେରିବା ପରେ, ଏହି ସମସ୍ତ ମାମଲାରେ ତଦନ୍ତ ତୀବ୍ର ହେବାର ସମ୍ଭାବନା ରହିଛି।