ଆଜି ଗଜାନନ ଶ୍ରୀ ଗଣେଶଙ୍କ ପୂଜା

( ମମତା ସାମଲ) : ଆଜି ହେଉଛି ଅଗ୍ରପୂଜ୍ୟ, ବିଘ୍ନରାଜ ଗଣେଶ ଚତୁର୍ଥୀ । ଏଥିପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ହୋଇଉଠିଛିି । ବିଘ୍ନ ବିନାଶକଙ୍କ ଆରାଧନା ପାଇଁ ସମସ୍ତେ ତତ୍ପର । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ଭକ୍ତ ମନଙ୍କର ମନ ମୋହୁଛି । । ଓଡିଶା ସମେତ ସାରା ଦେଶର ପ୍ରତି ଗଳିରେ ଶୋଭାପାଉଛି ଗଣେଶଙ୍କ ଭିନ୍ନ ଭିନ୍ନ ମୂର୍ତ୍ତି। ତା’ସାଙ୍ଗକୁ ଆଖି ଝଲସା ତୋରଣ ଓ ରଙ୍ଗୀନ ସାଜସଜ୍ଜା ସମସ୍ତଙ୍କୁ ମନମୁଗ୍ଧ କରିଛି। ବିଶେଷ କରି ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ଅନୁଷ୍ଠାନ ଗୁଡିକରେ ଗଣେଶ ପୂଜା ଧୂମଧାମରେ ପାଳନ କରାଯାଉଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଗଣେଶ ପୂଜା ଚଳଚଞ୍ଚଳ ହୋଇଉଠିଛି । ଛକ ଛକରେ ପୂଜା ପେଣ୍ଡାଲ ଦେଖିବାକୁ ମିଳିଛି । ରାଜଧାନୀରେ ସବୁଠାରୁ ଆକତ୍ସଣିୟ ହେଉଛି ସହସ୍ରମୁଖୀ ଗଣେଶ। ସହିଦ ନଗର ସ୍ଥିତ ଗଙ୍ଗାମାଟିରେ ନିର୍ମିତ ଏବଂ ୩୫ଟି ହାତୀ ଉପରେ ବିରାଜିତ ହୋଇଛନ୍ତି ବିଘ୍ନରାଜ । ଏହି ପ୍ରତିମାଙ୍କ ମୁଖ୍ୟ ଆକର୍ଷଣ ହେଉଛି, ତାଙ୍କ ଦେହର ଧଳା ରାଶି ଓ ମସୁର ଡାଲିରେ ତିଆରି ବସ୍ତ୍ର । ଏଥିରେ ହାତୀମାନଙ୍କ ଆଖି ବାଟିରେ ତିଆରି ହୋଇଛି । ଏହାକୁ ଦେଖିବାକୁ ସକାଳୁ ଲୋକଙ୍କ ଭିଡ ଲାଗି ରହିଛି।

ସମଗ୍ର ବିଶ୍ୱରେ ହିନ୍ଦୁମାନେ ଗଣେଶ ପୂଜା ଉତ୍ସବ ପାଳନ କରୁଥିବାବେଳେ ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇରହିଛି । ଓଡ଼ିଶାର ହିନ୍ଦୁଧର୍ମୀମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଦିନକୁ ଛୋଟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି ବିଶ୍ୱାସ କରନ୍ତି । ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ । ଏହି ଦିନ ପିଲାଙ୍କୁ ଖଡି ଧରି ଅକ୍ଷର ଶିଖା ଆରମ୍ଭ କରାଯାଏ।