ଭୁବନେଶ୍ଵର: ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଘୁର୍ଣ୍ଣିବଳୟର ପ୍ରଭାବରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗିରହିବ। ଉତ୍ତର ଓଡ଼ିଶା ଓ ତାତ୍ସଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୪ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ଏଥିଯୋଗୁଁ ଆଗକୁ ରାଜ୍ୟରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ଘୂର୍ଣ୍ଣିବଳୟ ଯୋଗୁଁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସମ୍ଭାବ୍ୟ ଲଘୁଚାପ ଓ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।